ଧ୍ୟାନ ଦିଅନ୍ତୁ ମୋବାଇଲ ଗ୍ରାହକ! ବଦଳିଗଲା ସିମ୍‌ କାର୍ଡ ରଖିବାର ନିୟମ, ଜାଣି ନିଅନ୍ତୁ ନଚେତ୍‌ ସିମ୍‌ ହୋଇଯିବ ଅଚଳ

ଦୂରସଂଚାର ବିଭାଗ (DoT) ତରଫରୁ ବୁଧବାର ଏକ ନୂଆ ନିୟମ ଜାରି କରାଯାଇଛି, ଯେଉଁଥିରେ ଅଧିକ ସିମ୍ ରଖିବାର ଛାଡ୍‌କୁ ବାତିଲ କରି ଦିଆଯାଇଛି। ଦୂରସଂଚାର ବିଭାଗର ନୂଆ ନିୟମ ମୁତାବକ, ୯ରୁ ଅଧିକ ସିମ୍ ରଖିଥିବା ୟୁଜରଙ୍କୁ ବର୍ତ୍ତମାନ ସିମ୍ କାର୍ଡର ଭେରିଫିକେଶନ କରେଇବା ବାଧ୍ୟତାମୂଳକ ହୋଇ ଯାଇଛି। ଯଦି ଏହି ସିମ୍ କାର୍ଡଗୁଡିକ ଯାଞ୍ଚ ନ ହେଉଛି, ତା’ ହେଲେ ସେଗୁଡିକୁ ଯଥାଶୀଘ୍ର ବନ୍ଦ କରି ଦିଆଯିବ। କହି ରଖୁଛୁ କି, ଜମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ପାଇଁ ଏହି ସଂଖ୍ୟା ରହିଛି ୬। ଟେଲିକମ୍ ବିଭାଗ ଟେଲିକମ୍ କମ୍ପାନୀଗୁଡ଼ିକୁ ସେହି ସମସ୍ତ ମୋବାଇଲ୍ ନମ୍ବରକୁ ଡାଟାବେସରୁ ହଟେଇ ଦେବାକୁ କହିଛି, ଯାହା ନିୟମ ଅନୁଯାୟୀ ବ୍ୟବହାର ହେଉ ନ ଥିବ।

ଜାଣନ୍ତୁ କ’ଣ ରହିଛି DoTର ନିର୍ଦ୍ଦେଶ

ଟେଲିକମ୍ ବିଭାଗ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ ଯଦି ଗ୍ରାହକଙ୍କ ପାଖରେ ଅନୁମତିଠାରୁ ଅଧିକ ସିମ୍ କାର୍ଡ ମିଳୁଛି, ତ ଏଭଳି ସ୍ଥିତିରେ ସେମାନଙ୍କୁ ନିଜ ପସନ୍ଦର ସିମ୍‌ ଚାଲୁ ରଖିବାକୁ ଏବଂ ବାକିଗୁଡ଼ିକୁ ବନ୍ଦ କରି ଦେବାକୁ ବିକଳ୍ପ ଦିଆଯିବ, ହେଲେ ଏହାର ସୀମା ୯ରୁ ଅଧିକ ହେବ ନାହିଁ।

ଟେଲିକମ୍ ବିଭାଗ କହିଛି ଯେ ଡିପାର୍ଟମେଣ୍ଟ ଦ୍ୱାରା କରାଯାଉଥିବା ସର୍ଭେ ସମୟରେ ଯଦି କୌଣସି ଗ୍ରାହକଙ୍କ ପାଖରୁ ଟେଲିକମ୍ କମ୍ପାନୀଗୁଡ଼ିକର ସିମ୍ କାର୍ଡ ଧାର୍ଯ୍ୟ ସୀମାଠାରୁ ଅଧିକ ମିଳୁଛି, ତା’ ହେଲେ ସମସ୍ତ ସିମକୁ ପୁଣିଥରେ ଭେରିଫାଏ କରାଯିବ। ଟେଲିକମ୍‌ ବିଭାଗ ଏହି ପଦକ୍ଷେପ ଆର୍ଥିକ ଅପରାଧ, ଆପତ୍ତିଜନକ କଲ୍, ସ୍ୱୟଂଚାଳିତ କଲ୍ ଏବଂ ଠକେଇ ଘଟଣାର ତଦନ୍ତ ଉଦ୍ଦେଶ୍ୟରେ ଗ୍ରହଣ କରିଛି।

୩୦ ଦିନ ଭିତରେ ସିମ୍ ବନ୍ଦ କରିବାକୁ ନିର୍ଦ୍ଦେଶ

DoT ସମସ୍ତ ଟେଲିକମ୍ ଅପରେଟରଙ୍କୁ ନିର୍ଦ୍ଦେଶ ଦେଇଛି କି, ଯେଉଁ ୟୁଜରଙ୍କ ପାଖରେ ୯ରୁ ଅଧିକ ସିମ୍ କାର୍ଡ ରହିଛି, ସେମାନଙ୍କୁ ନୋଟିଫିକେଶନ ପଠାଯାଉ। ଏହିପରି ସମସ୍ତ ସିମ୍ କାର୍ଡର ଆଉଟଗୋଇଙ୍ଗ୍‌ କଲ୍‌କୁ ୩୦ ଦିନ ଭିତରେ ବନ୍ଦ କରି ଦିଆଯାଉ। ଯେତେବେଳେ କି, ଇନ୍‌କମିଙ୍ଗ କଲ୍‌କୁ ୪୫ ଦିନ ଭିତରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦିଓ ମୋବାଇଲ୍ ସିମ ବ୍ୟବହାରକାରୀଙ୍କ ପାଖରେ ଅତିରିକ୍ତ ସିମକୁ ସରେଣ୍ଡର କରିବାର ମଧ୍ୟ ବିକଳ୍ପ ରହିବ।

ଯଦି ସବ୍ସକ୍ରାଇବର୍ସଙ୍କ ତରଫରୁ ନୋଟିଫାଏଡ୍‌ କରାଯାଇଥିବା ସିମକୁ ଭେରିଫାଏ କରାଯାଉ ନାହିଁ, ତେବେ ଏପରି ସିମକୁ ୬୦ ଦିନ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଗ୍ରାହକ ଅନ୍ତର୍ଜାତୀୟ ରୋମିଂରେ ଅଛନ୍ତି, ଅସୁସ୍ଥ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅତିରିକ୍ତ ୩୦ ଦିନ ସମୟ ଦିଆଯିବ। ଯଦି ଲ’ ଇନ୍‌ଫୋର୍ସମେଣ୍ଟ ଏଜେନ୍ସି, ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ବିତ୍ତୀୟ ସଂସ୍ଥାନ ତରଫରୁ ମୋବାଇଲ ନମ୍ବର ବିରୋଧରେ ଅଭିଯୋଗ ମିଳୁଛି, ତା’ ହେଲେ ଏହି ସିମ୍‌ର ଆଉଟଗୋଇଙ୍ଗ୍‌ କଲ୍‌କୁ ୫ ଦିନ ଭିତରେ ବନ୍ଦ କରାଯିବ। ସେହିପରି ଇନକମିଙ୍ଗ୍‌ କଲ୍‌ ୧୦ ଦିନ ଭିତରେ ବନ୍ଦ ହୋଇଯିବ ଏବଂ ସିମ୍‌ ସମ୍ପୂର୍ଣ୍ଣ ଭାବେ ୧୫ ଦିନ ଭିତରେ ବନ୍ଦ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.