ସିଡିଏସ ବିପିନ ରାୱତଙ୍କ ହେଲିକପ୍‌ଟର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍‌ଟର ଦୁର୍ଘଟଣା ନେଇ ଭାରତୀୟ ବାୟୁସେନା ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ଟ୍ରାଇ ସର୍ଭିସ ତଦନ୍ତ ହେବ ବୋଲି ଲୋକସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚପ୍ପର କ୍ରାସ ନେଇ ବିବୃତି ରଖି ସେ କହିଛନ୍ତି, ସିଡିଏସ ଜେନେରାଲ ବିପିନ ରାୱତଙ୍କ ୱେଲିଂଟନ ଡିଫେନ୍‌ସ ଷ୍ଟାଫ କଲେଜକୁ ଗସ୍ତ ଥିଲା। ସୁଲୁର ଏୟାରବେସରୁ ୧୧ ଟା ୪୮ରେ ଉଡାଣ ଭରିଥିଲା। ୧୨ଟା ୧୫ରେ ୱେଲିଂଟନରେ ଲାଣ୍ଡିଂ କରିବାର ଥିଲା। କିନ୍ତୁ ହେଲିକପ୍‌ଟର ସହ ୧୨ଟା ୦୮ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ସଂପର୍କ ବିଚ୍ଛିନ୍ନ ହୋଇଥିଲା। ପରେ କିଛି ସ୍ଥାନୀୟ ଲୋକ ହେଲିକପ୍‌ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଦେଇଥିଲେ।

ଗତକାଲି ଠାରୁ ତଦନ୍ତକାରୀ ଦଳ ୱେଲିଂଟନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସଂପୂର୍ଣ୍ଣ ସେନା ସମ୍ମାନ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ। ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲେ ମଧ୍ୟ ଗମ୍ଭୀର ରହିଛି। ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ଓ ତାଙ୍କୁ ସେଠାରେ ଲାଇଫ ସପୋର୍ଟରେ ରଖାଯାଇଛି। ତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଆବଶ୍ୟକ ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ୱେଲିଂଟନ ମିଲିଟାରୀ ହସ୍‌ପିଟାଲରୁ ବେଙ୍ଗାଳୁରୁର କମାଣ୍ଡ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସିଡିଏସଙ୍କ ବିୟୋଗରେ ସଂସଦର ଉଭୟ ଗୃହରେ ୨ମିନିଟ ଲେଖାଏଁ ନୀରବ ପ୍ରାର୍ଥନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.