ଏବେ UPI ରେ ହେବ କୋଟି କୋଟି ଟଙ୍କା କାରବାର

୩ ବର୍ଷ ପରେ ପୁଣି ଥରେ ୟୁପିଆଇରେ ହେବ ୯୦% ଡିଜିଟାଲ ପେମେଣ୍ଟ, ପ୍ରତିଦିନ ହେବ କୋଟି କୋଟି ଟଙ୍କା କାରବାର, ରିପୋର୍ଟ ରୁ ମିଳିଲା ସୂଚନା

କୋଭିଡ୍‌ ମହାମାରୀ ପରେ ଡିଜିଟାଲ ପେମେଣ୍ଟର ବ୍ୟବାହାର ବହୁତ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ଲୋକ ଡିଜିଟାଲ ପେମେଣ୍ଟର ବ୍ୟବହାର କରୁଛନ୍ତି। ମହାମାରୀ ସମୟରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅପ୍ସନ ଏବଂ ଟଚ୍‌ ଲେସ୍‌ ଟ୍ରାନଜାକସନ୍‌ ରେ ଲେଣଦେଣ କରିବାରେ ବହୁତ ସାହାଯ୍ୟ ମିଳିଥିଲା। ଏହାପରେ ହିଁ ଡିଜିଟାଲ ପେମେଣ୍ଟକୁ ନେଇ ଅନେକ ଖବର ଆସିଲା। ସାଧାରଣତଃ ଆମେ କିଣାକିଣି କରିବା ପାଇଁ ଡିଜିଟାଲ ପେମେଣ୍ଟର ସାହାରା ନେଉଛନ୍ତି। କାହିଁକିନା ମୋବାଇଲ ଫୋନ୍‌ ସାହାଯ୍ୟରେ ୟୁପିଆଇ ପେମେଣ୍ଟ କରିବା ସହଜ ହୋଇଥାଏ। UPI ପେମେଣ୍ଟ ପ୍ରଚଳନ ଆରମ୍ଭ ହେବା ଠାରୁ ପକେଟରେ ଟଙ୍କା ରଖିବାକୁ ଯେମିତି ଭୁଲିଗଲେଣି ଲୋକେ।

ଆଜିର ସମୟରେ ୟୁପିଆଇ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିରେ ଡିଜିଟାଲ୍ ଟ୍ରାଞ୍ଜାକ୍ସନ ଏତେ ମାତ୍ରାରେ ହେଉଛି ଯେ ଏବେ ଭାରତକୁ ବିଶ୍ୱସ୍ତରୀୟ ଅଗ୍ରଣୀ କରିପାରିଛି । ବର୍ତ୍ତମାନ ଏହା ମାଧ୍ୟମରେ ପ୍ରତିଦିନ କୋଟି କୋଟି କାରବାର କରାଯାଉଛି । ଆଗାମୀ ସମୟରେ ୟୁପିଆଇର ବ୍ୟବହାର ଆହୁରି ବୃଦ୍ଧି ପାଇବ । ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । କଣ ରହିଛି ପୁରା ଘଟଣା ଜାଣି ନିଅନ୍ତୁ ।

ଏକ ରିପୋର୍ଟରୁ ଜଣା ପଡିଛି ଯେ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ଦିନକୁ ଏକ ବିଲିୟନ ରୁ ଅଧିକ ୟୁପିଆଇ କାରବାର ହେବ ଏବଂ ମୋଟ ଡିଜିଟାଲ୍ ପେମେଣ୍ଟରେ ଏହାର ଅଂଶ ୯୦%କୁ ବୃଦ୍ଧି ପାଇବ । ପିଡବ୍ଲୁସି ଇଣ୍ଡିଆ ଏହାର ସର୍ବଶେଷ ରିପୋର୍ଟ ‘ଦି ଇଣ୍ଡିଆନ୍ ପେମେଣ୍ଟସ୍ ହ୍ୟାଣ୍ଡବୁକ୍ – ୨୦୨୨-୨୭’ ରେ ଏହି ଆକଳନ କରିଛି ।

pwc ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଡିଜିଟାଲ ପେମେଣ୍ଟରେ କ୍ରାନ୍ତି ଆଣିଥିବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଅର୍ଥାତ୍ ୟୁପିଆଇର ଆର୍ଥିକ ବର୍ଷ ୨୦୨୨-୨୩ ରେ ଖୁଚୁରା କାରବାରର ୭୫ ପ୍ରତିଶତ ଥିଲା । ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୩ ବର୍ଷ ମଧ୍ୟରେ ଖୁଚୁରା ଡିଜିଟାଲ ପେମେଣ୍ଟରେ ୟୁପିଆଇର ଅଂଶ ୯୦ ପ୍ରତିଶତକୁ ବୃଦ୍ଧି ପାଇବ ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତୀୟ ଡିଜିଟାଲ ପେମେଣ୍ଟ ବଜାର ପରିମାଣ ୫୦% ହାରରେ ବୃଦ୍ଧି ପାଉଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ ୧୦୩ ବିଲିୟନ କାରବାର କରାଯାଇଥିଲା, ଯାହା ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ୪୧୧ ବିଲିୟନକୁ ବୃଦ୍ଧି ପାଇବ । ଏପରି ଦେଖିଲେ ୩ ବର୍ଷ ପରେ ୟୁପିଆଇ ମାଧ୍ୟମରେ ପ୍ରତିଦିନ ଏକ ବିଲିୟନରୁ ଅଧିକ କାରବାର ହେବ ।