କେନ୍ଦ୍ରାପଡ଼ା ଜିଲ୍ଲାର ନୁହେଁ, ନିଜ ଶିଳ୍ପର ବିକାଶ ଚାହୁଁଥିଲେ : ବୈଜୟନ୍ତ ପଣ୍ଡାଙ୍କୁ ଆଟାକ୍‌ କଲେ ନବୀନ ପଟ୍ଟନାୟକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ନୁହେଁ, ନିଜ ଶିଳ୍ପର ବିକାଶ ପାଇଁ ଚାହୁଁଥିଲେ ପୂର୍ବତନ ସାଂସଦ। ଦୁଇ ଥର ସାଂସଦ ହୋଇ ସେ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ରାଜନଗର ନିର୍ବାଚନ ସଭାରୁ ନାଁ ନ ନେଇ ବୈଜୟନ୍ତ ପଣ୍ଡାଙ୍କୁ ଆଟାକ୍‌ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋକଙ୍କ ଆଗରେ କହିଛନ୍ତି, ବିଜେଡିର ଦୁଇ ଥର ପୂର୍ବତନ ସାଂସଦ କିଭଳି କେନ୍ଦ୍ରାପଡ଼ାବାସୀ ଓ ତାଙ୍କର ବିଶ୍ୱାସ ଭାଙ୍ଗିଛନ୍ତି।

ନବୀନ କହିଛନ୍ତି, ସ୍ୱାଧୀନତାର ୭୦ ବର୍ଷ ପରେ ରାଜ୍ୟର ଏକମାତ୍ର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ାକୁ ରେଳ ଯୋଗାଯୋଗ ନାହିଁ। ଏଥିପାଇଁ ସେ ବହୁବାର କେନ୍ଦ୍ର ନିକଟରେ ଦାବି ଉଠାଇଛନ୍ତି। ଥରେ ଦିଲ୍ଲୀରେ ବୈଠକ ପରେ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଏହା ପଛର ରହସ୍ୟ ତାଙ୍କୁ କହିଥିଲେ ବୋଲି ନବୀନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଥିଲେ, ଆପଣ କେନ୍ଦ୍ରାପଡ଼ାରେ ରେଳ ଲାଇନ୍‌ କଥା କହୁଛନ୍ତି। କିନ୍ତୁ କେନ୍ଦ୍ରାପଡା ସାଂସଦ ସବୁବେଳେ ତାଙ୍କ ଶିଳ୍ପ ପାଇଁ ରେଳ ଯୋଗାଯୋଗ କଥା କହୁଛନ୍ତି। ସେହିପରି ନବୀନ କହିଛନ୍ତି, କେନ୍ଦ୍ରାପଡ଼ା ଶିଳ୍ପ ପାଇଁ ତାଙ୍କର ଚିନ୍ତା ନଥିଲା। ସବୁବେଳେ ତାଙ୍କର ଚିନ୍ତା ଥିଲା ନିଜ ଶିଳ୍ପର ପ୍ରସାର। କେନ୍ଦ୍ରାପଡ଼ା ଯୁବକଙ୍କ ନିଯୁକ୍ତି ତାଙ୍କର ପ୍ରାଥମିକତା ନଥିଲା।

ସେ କିଭଳି ନିଜେ ଭଲ ନିଯୁକ୍ତି ପାଇବେ, ସେଥିପାଇଁ ବ୍ୟସ୍ତ ଥିଲେ । କେନ୍ଦ୍ରାପଡ଼ା ଭୋଟରଙ୍କୁ ନବୀନ କହିଛନ୍ତି, ତାଙ୍କ ଅନୁରୋଧରେ କେନ୍ଦ୍ରାପଡ଼ାବାସୀ ତାଙ୍କୁ ଦୁଇ ଥର ଭୋଟ୍‌ ଦେଇଥିଲେ। ସେ ସମସ୍ତଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। କେନ୍ଦ୍ରାପଡ଼ା ବାସୀଙ୍କ ବିଶ୍ୱାସ ସହ ଖେଳିଛନ୍ତି। ଏହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ। କେନ୍ଦ୍ରାପଡ଼ାବାସୀ ତାଙ୍କୁ ଉଚିତ ଜବାବ ଦେବେ। କେନ୍ଦ୍ରାପଡ଼ାର ବିକାଶ ଏବେ ତାଙ୍କର ଦାୟିତ୍ୱ। ସେ ନିଜେ କେନ୍ଦ୍ରାପଡ଼ାର ବିଶ୍ୱାସ ଦେଖିବେ ବୋଲି କହିଛନ୍ତି ନବୀନ ରାଜନଗର ନିର୍ବାଚନ ସଭାରେ କେନ୍ଦ୍ରାପଡ଼ା ଭୋଟରଙ୍କୁ କହିଛନ୍ତି।

ସଂସଦର ଫାଇନାନସିଆଲ କମିଟିର ଅଧ୍ୟକ୍ଷ ହେବା ପାଇଁ ବୈଜୟନ୍ତ ପଣ୍ଡା ଚାହୁଁଥିଲେ। କିନ୍ତୁ ଏ ପଦବୀ ପାଇଁ ଆମେ ପାଖରେ ସଂଖ୍ୟା ନଥିଲା। କିନ୍ତୁ ସେ ଭାବୁଥିଲେ ଏ ପଦବୀ ପାଇଁ ବିଜେପି ତାଙ୍କୁ ସମର୍ଥନ କରିବ। କିନ୍ତୁ ତାଙ୍କ ପାରିବାରିକ କମ୍ପାନୀ ପାଇଁ ଏ କ୍ଷେତ୍ରରେ ତାଙ୍କୁ ସମର୍ଥନ କରିନଥିଲି ବୋଲି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ବିଜେଡି ସୁପ୍ରିମୋ। ସେହିପରି ନିର୍ବାଚନ ପରେ ମେଣ୍ଟ ନେଇ ନବୀନ ରଖିଛନ୍ତି ପ୍ରତିକ୍ରିୟା। କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ କୌଣସି ଦଳକୁ ଆମେ ସମର୍ଥନ ଦେଇପାରୁ। ସେହିପରି ଖରାପ ସ୍ୱାସ୍ଥ୍ୟ ନେଇ ବୈଜୟନ୍ତ ଗୁଜବ ସୃଷ୍ଟି କରିଥିଲେ ବୋଲି ଏଏନଆଇକୁ ବିଜେଡି ସୁପ୍ରିମୋ କହିଛି ।

Leave A Reply

Your email address will not be published.