ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ପୋଲିଂ ଅଧିକାରୀ। ସାଙ୍ଗରେ ନେଇଛନ୍ତି ଇଭିଏମ୍, ଭିଭିପାଟ୍ ଓ ଭୋଟିଂ ସରଞ୍ଜାମ। ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଭୋଟ ପଡ଼ିବ। ମୈଦାନରେ ଅଛନ୍ତି ୩୮୮ ପ୍ରାର୍ଥୀ। ଲୋକସଭା ଆସନରେ ୫୨ ଜଣ ଓ ବିଧାନସଭା ସିଟ୍ରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ୩୩୬ ପ୍ରାର୍ଥୀ। ୩୦୧ ଜଣ ପୁରୁଷ, ୩୪ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ମତାଧିକାରୀ ସାବ୍ୟସ୍ତ କରିବେ ୯୫ ଲକ୍ଷ ୬୫୩ ଭୋଟର୍। ପୁରୁଷ ଭୋଟର ସଂଖ୍ୟା ୪୯ ଲକ୍ଷ ୧ ହଜାର ୭୯ । ଭୋଟ୍ ଦେବେ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ମହିଳା। ଶୃଙ୍ଖଳିତ ମତଦାନ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ।
ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୮ଟି ଜିଲ୍ଲାରେ ନିଆଯିବ ଭୋଟ୍। ମୟୁରଭଞ୍ଜ, ପୁରୀ, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ମତଦାନ ରହିଛି। ଏଥିପାଇଁ କରାଯାଇଛି ୧୦ ହଜାର ୭୯୨ ବୁଥ୍। ଏହା ଭିତରେ ରହିଛି ୩ ହଜାର ୯୨ଟି ସମ୍ବେଦନଶୀଳ ବୁଥ୍ । ନିୟୋଜିତ ଅଛନ୍ତି ୭୨ ହଜାର ୩୬୩ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି। ସବୁ ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ନିଆଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, କେନ୍ଦ୍ରାପଡ଼ା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମୁତୟନ ହୋଇଛନ୍ତି ଅଧିକ ଫୋର୍ସ।
ନିର୍ବାଚନ ସମୟରେ ୪ କୋଟି ୧୩ ଲକ୍ଷ ଟଙ୍କା ଜବତ ହୋଇଛି। ଚଳିତବର୍ଷ ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ନିଆଯାଉଛି। ଏପ୍ରିଲ ୧୧, ୧୮ ଓ ୨୩ ତାରିଖରେ ତିନିଟି ପର୍ଯ୍ୟାୟ ଭୋଟ୍ ସରିଛି। ଆସନ୍ତାକାଲି ଚତୁର୍ଥ ଲଢ଼େଇ। ତେବେ ପାଟକୁରାରେ ବେଦପ୍ରକାଶଙ୍କ ଦେହାନ୍ତ ଯୋଗୁ ସେଠାରେ ମେ ୧୯ ତାରିଖରେ ଭୋଟ ଗ୍ରହଣ ହେବ। ଏହାପରେ ମେ ୨୩ ତାରିଖରେ ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ।