ପଦଯାତ୍ରା ଏବଂ ରୋଡ୍‌ ସୋରେ ପ୍ରାର୍ଥୀ, ପ୍ରଚାର ମୈଦନାରେ ବି କଡ଼ା ଟକ୍କର

ଭୁବନେଶ୍ବର : ପଦଯାତ୍ରା, ରୋଡ୍‌ ସୋରେ ପ୍ରାର୍ଥୀ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ହେବାକୁ ଥିବା ଲୋକସଭା ଓ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ସରଗରମ କରିଛି ବିଜେଡି । ସମର୍ଥକଙ୍କ ଗହଣରେ ଗାଁରୁ ଗାଁ ବୁଲୁଛନ୍ତି ପ୍ରାର୍ଥୀ । ଚାଲିଛି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌। କେଉଁଠି କର୍ମୀ ସମ୍ମିଳନୀ କରି ଭୋଟରଙ୍କୁ ହାତେଇବାକୁ ଉଦ୍ୟମ ବି ହେଉଛି। କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ବିଜେଡି ଚଳାଇଛି ମାରାଥନ୍‌ ପ୍ରଚାର।

ଉପକୂଳରେ ବି ବିଜେଡି ଆରମ୍ଭ କରିଛି ପ୍ରଚାର ଅଭିଯାନ। ପ୍ରାର୍ଥୀ ଘୋଷଣା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ। ଆଳି ନିର୍ବାଚନ ମଣ୍ଡଳୀରେ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି ପ୍ରତାପ ଦେବ ଓ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି। ପଦଯାତ୍ରା ସହ କର୍ମୀ ସମ୍ମିଳନୀରେ ଯୁଟାଇଛନ୍ତି ସମର୍ଥନ।

ସେପଟେ ହାତ ମୁଠାକୁ ଟାଣ କରିବାରେ ଲାଗିଛନ୍ତି କଂଗ୍ରେସ ପ୍ରାର୍ଥୀ। କର୍ମୀଙ୍କ ସହ ଶୋଭାଯାତ୍ରା କରୁଛନ୍ତି। ଘର ଘର ବୁଲୁଛନ୍ତି। ଜୁଟାଉଛନ୍ତି ଭୋଟରଙ୍କ ସମର୍ଥନ। ନିର୍ବାଚନ ପ୍ରତିଶ୍ରୁତି ବି ଦେଉଛନ୍ତି। କୋରାପୁଟ ଲୋକସଭା କ୍ଷେତ୍ରରେ ନିର୍ବାଚନ ତାତି ବଢ଼ିଛି। ସେହିପରି ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେଉଥିବା ଆସନରେ କଂଗ୍ରେସ ଗ୍ରାଉଣ୍ଡ ଓ୍ଵାର୍କରେ ଲାଗିଛି ।

୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପଡ଼ିବ। ମଝିରେ ରହିଲା ଆଉ ମାତ୍ର ୯ ଦିନ। କିଏ ଭୋଟରଙ୍କୁ ନିଜ ସପକ୍ଷରେ କରି ପାରୁଛି, ସେନେଇ ଆରମ୍ଭ ହୋଇଛି ରେସ୍‌।

ସେହିପରି ରାଜ୍ୟବ୍ୟାପୀ ପ୍ରଚାର ଅଭିଯାନ ଚଳାଇଛି ବିଜେପି । ବିଭିନ୍ନ ସ୍ଥାନରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ସମର୍ଥକଙ୍କ ସହ ଶୋଭାଯାତ୍ରା, ରୋଡ୍‌ ସୋ, ପଦଯାତ୍ରା, କର୍ମୀ ସମ୍ମିଳନୀ କରୁଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ହେବାକୁ ଥିବା ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଷ୍ଟାର ପ୍ରଚାରକଙ୍କୁ ନେଇ କ୍ୟାମ୍ପେନ୍‌କୁ ଜୋରଦାର କରିଛି ବିଜେପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.