ରାତି ପାହିଲେ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ, ପ୍ରଥମ ପର୍ଯ୍ୟୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନ

ରାତିପାହିଲେ ଗଣତନ୍ତ୍ରର ମହାପର୍ବ ନିର୍ବାଚନର ପ୍ରଥମ ପର‌୍ୟ୍ୟାୟ ମତଦାନ। ଦେଶର ୯୧ଟି ଲୋକସଭା ଆସନରେ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଓଡ଼ିଶାର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନରେ ହେବ ଭୋଟିଂ। ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ ହେଉଥିବାରୁ ଗ୍ରହଣ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟିକୁ ପଠାଯାଇଛି।

ରାତି ପାହିଲେ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ। ୯୦ କୋଟି ଲୋକ ବାଛିବେ ତାଙ୍କର ପ୍ରତିନିଧି। ୫୪୩ ଲୋକସଭା ସହ ଓଡ଼ିଶା, ଆନ୍ଧ୍ର, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ପାଇଁ ଆରମ୍ଭ ହେବ ମତଦାନ। ୧୭ତମ ଲୋକସଭା ପାଇଁ ପ୍ରତିନିଧି ବାଛିବେ ଭୋଟର। ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ହେବ ଭୋଟିଂ। ଏହି ୯୧ଟି ଆସନ ପାଇଁ ମୈଦନାରେ ଅଛନ୍ତି ୧ ହଜାର ୨୭୯ ପ୍ରାର୍ଥୀ। ସେହିପରି ଓଡ଼ିଶାରେ ୧୬ତମ ବିଧାନସଭା ପାଇଁ ଭୋଟ୍ ନିଆଯିବ। ଓଡ଼ିଶାରେ ୮ଟି ଜିଲ୍ଲାରେ ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ପ୍ରଥମ ପର‌୍ୟ୍ୟାୟରେ ରହିଛି ମାଓ ପ୍ରବଣ ଅଞ୍ଚଳ। ତେଣୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ରହିଛି ୨ଟି ନିର୍ବାଚନ ମଣ୍ଡଳୀ।

ମାଓ ଅଧ୍ୟୁଷିତ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ର। ନକ୍ସଲଙ୍କ ଭୟ ରହିଛି। ସୀମାନ୍ତ ଛତିଶଗଡ଼ରେ ଗତକାଲି ହମଲା ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ବିଚ୍ଛିନ୍ନାଞ୍ଚଳକୁ ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ ପାର୍ଟି। କଡ଼ା ସୁରକ୍ଷା ଭିତରେ ଇଭିଏମ୍, ଭିଭିପିଏଟି ପଠାଯାଇଛି। ପଇଁତରା ମାରୁଛନ୍ତି ସୁରକ୍ଷା ବାହିନୀ। ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ଏସ୍ଓଜି, ଡିଭିଏଫ୍ ଓ ବିଏସଏଫ୍ ଯବାନ। ଯାଞ୍ଚକୁ ବି କଡ଼ାକଡ଼ି କରାଯାଇଛି। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନକ୍ସଲ ପ୍ରଭାବିତ ଇଲାକାରେ ଆସୁଥିବାରୁ ସବୁ ନିର୍ବାଚନ ମଣ୍ଡଳୀରେ ସୁରକ୍ଷାରୁ କଡ଼ାକଡ଼ି କରାଯାଇଛି।

election

ନିର୍ବାଚନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି। ଭୋଟିଂ ପାଇଁ ଆବଶ୍ୟକ ସାମଗ୍ରୀ ସାଙ୍ଗରେ ନେଇଛନ୍ତି। କଡ଼ା ସୁରକ୍ଷା ଭିତରେ ପଠାଯାଇଛି ଇଭିଏମ୍ ଓ ଭିଭିପାଟ୍। କୋରାପୁଟ ସଂସଦୟୀ କ୍ଷେତ୍ରରେ କୋରାପୁଟ ଜିଲ୍ଲାରେ ୪ଟି ଓ ରାୟଗଡ଼ା ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ପ୍ରଥମ ପର‌୍ୟ୍ୟାୟରେ ଏଠାରେ ଭୋଟ୍ ପଡ଼ିବ। ସେହିପରି କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ବି ପ୍ରଥମ ପର‌୍ୟ୍ୟାୟ ଭୋଟ୍ ରହିଛି। ୭ଟି ଯାକ ବିଧାନସଭା କ୍ଷେତ୍ରରେ ସରିଛି ନିର୍ବାଚନ ପ୍ରସ୍ତୁତି।

ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଭୋଟିଂ ହେବାକୁ ଥିବା କେନ୍ଦ୍ରରେ ସୁରକ୍ଷା କଡ଼ାକଡ଼ି। ଦେଢ଼ ଘଣ୍ଟା ଆଗରୁ ମକ୍ ପୋଲିଂ ହେବ। ଏଥିପାଇଁ ବି ସମସ୍ତ ପ୍ରସ୍ତୁତି ସରିଲାଣି। ଗଜପତି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ମୋହନା ଓ ପାରଳାଖେମୁଣ୍ଡିରେ ପ୍ରଥମ ପର‌୍ୟ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର୍।

ରାଜ୍ୟରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ୭୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି। ଭୋଟ ଦେବେ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର୍। ପ୍ରଥମ ଥର ଲାଗି ଓଡ଼ିଶାରେ ବ୍ରେଲି ବାଲଟ ପେପର ବ୍ୟବହାର ହେବ। ନିର୍ବାଚନ ପାଇଁ ୪୭ହଜାର ୮୦୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୨୩୭୫ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି। ମାଓଉପଦ୍ରୁତ ଅଂଚଳରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏ ମତଦାନ ହେବ। ବାକି ସ୍ଥାନରେ ସଂଧ୍ୟା ୬ଟା ଯାଏ ଭୋଟିଂ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.