ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ , ପ୍ରକୃତ ମତଦାନ ଆରମ୍ଭ ହେବାର ଦେଢ଼ଘଣ୍ଟା ପୂର୍ବରୁ ହେବ ‘ମକ୍ ପୋଲ୍’

ଭୁବନେଶ୍ବର(କେନ୍ୟୁଜ୍): ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ। କାଲି ଇଭିଏମ୍‌ରେ ଲଢ଼େଇ। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପର୍ଯ୍ୟାରେ ପ୍ରସ୍ତୁତି। ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ଉପସ୍ଥିତ ରହି ପ୍ରସ୍ତୁତି ଚଲାଇଛନ୍ତି। ମତଦାନ କେନ୍ଦ୍ର ଗୁଡ଼ିକରେ ହେବ ମକ୍ ପୋଲ୍ । ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ କେନ୍ଦ୍ରଗୁଡ଼ିକରେ ‘ମକ୍ପୋଲ୍’ କରାଇବାକୁ ଭାରତର ନିର୍ବାଚନ କମିସନ୍ ନିର୍ଦେଶ ଦେଇଛନ୍ତି । ପ୍ରକୃତ ମତଦାନ ଆରମ୍ଭ ହେବାର ୯୦ ମିନିଟ ବା ଦେଢ଼ଘଣ୍ଟା ପୂର୍ବରୁ ଏହି ‘ମକ୍ ପୋଲ୍’ କରାଯିବ । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା କଥା ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀ ଜଣାଇଛନ୍ତି ।

ରାଜ୍ୟର ୪ଟି ଲୋକସଭା ଆସନ ଓ ୨୮ ବିଧାନସଭା ଆସନ ପାଇଁ ମତଦାନ ନିଆଯିବ। ୪ ସଂସଦୀୟ କ୍ଷେତ୍ର ପାଇଁ ମଇଦାନରେ ଅଛନ୍ତି ୨୬ ପ୍ରାର୍ଥୀ । ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୧୯୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ସମେତ ବ୍ରହ୍ମପୁର ବିଧାନସଭା, ଗୋପାଳପୁର , ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡି, ମୋହନା ଓ ଛତ୍ରପୁରରେ ମତଦାନ ହେବ ।

ସେହିପରି କୋରାପୁଟ ଲୋକସଭା ଆସନ ସମେତ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ପଟ୍ଟାଙ୍ଗୀ, ଜୟପୁର ଓ କୋରାପୁଟ ବିଧାନସଭା ଆସନରେ ନିଆଯିବ ଭୋଟ୍‌ । ସେପଟେ ନବରଙ୍ଗପୁର ଲୋକସଭା ଆସନ ସମେତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ୍‌ , ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭୋଟ ପଡିବ । କଳାହାଣ୍ଡି ଲୋକସଭା ଆସନ ସମେତ ଭବାନୀପାଟଣା, ନର୍ଲା, ଜୁନାଗଡ଼, ଧର୍ମଗଡ଼, ନୂଆପଡ଼ା, ଖରିଆର ଓ ଲାଞ୍ଜିଗଡ଼ ବିଧାନସଭାରେ ପ୍ରାର୍ଥୀ ବାଛିବେ ମତଦାତା। ଅଧିକାଂଶ ଲୋକସଭା ଓ ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.