ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ୭୨ % : ବରଗଡ଼ରେ ସର୍ବାଧିକ ୭୭.୫୭, ଆସିକାରେ ସର୍ବନିମ୍ନ ୬୬.୩୦ % ଭୋଟିଂ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟରେ ଥିଲା ୭୩ ପ୍ରତିଶତ ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୭୨ ପ୍ରତିଶତ ଭୋଟିଂ ହୋଇଛି । ଏକ ପ୍ରତିଶତ କମିଛି। ସବୁଠାରୁ ଅଧିକ ମତଦାନ ହୋଇଛି ବରଗଡ଼ରେ। ମତଦାନହାର ରହିଛି ୭୭.୫୭ ପ୍ରତିଶତ । ବଲାଙ୍ଗିରରେ ୭୨.୪୨, କନ୍ଧମାଳ ୭୨.୮୮, ସୁନ୍ଦରଗଡ଼ରେ ୭୧.୪୪, ଓ ଆସିକାରେ ଭୋଟିଂ ହାର ରହିଛି ୬୬.୩୦ ପ୍ରତିଶତ। ୨୦୧୪ ତୁଳନାରେ ଆସିକାରେ ଭୋଟିଂ ହାର ବଢିଛି । ୨୦୧୪ରେ ଆସିକାରେ ଭୋଟିଂ ହାର ଥିଲା ୬୩.୬୩ ପ୍ରତିଶତ। ଏଥର ବୃଦ୍ଧି ପାଇ ୬୬.୩୦ ପ୍ରତିଶତ ହୋଇଛି। ବଲାଙ୍ଗିରର ଭୋଟ ହାର କମିଛି । ୨୦୧୪ରେ ଭୋଟ ହାର ଥିଲା ୭୪.୯୧ ପ୍ରତିଶତ ଏଥର ଏହା ୭୨.୪୨ । ବରଗଡ଼, ସୁନ୍ଦରଗଡ଼ ଓ କନ୍ଧମାଳରେ ଭୋଟ ପ୍ରତିଶତ ୨୦୧୪ ତୁଳନାରେ ପ୍ରାୟ ସମାନ ରହିଛି।

ଗଣତନ୍ତ୍ରର ମହାପର୍ବରେ ପୁଣି ସାହସିକତାର କାମ କରିଛନ୍ତି ପୋଲିଂ ପାର୍ଟି ଟିମ୍‌ । କନ୍ଧମାଳରେ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଯୋଗୁଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଇଜି ଅପରେସନ ନିଜେ କନ୍ଧମାଳରେ ଡେରା ପକାଇଥିଲେ। ମାଓ ପ୍ରଭାବିତ ଅଂଚଳରେ ଭୋଟଗ୍ରହଣ ସରିବା ପରେ ପୋଲିଂ ପାର୍ଟିକୁ ସୁରକ୍ଷିତ ଭାବେ ଅଣାଯାଇଛି। ଏସଓଜି ଓ ସିଆରପିଏଫ ଯବାନଙ୍କ ସହାୟତାରେ ରାତିରେ ନଦୀ ନାଳ ଡେଇଁ ସମସ୍ତେ ନିଜ ନିଜ ଦାୟିତ୍ୱ ତୁଲାଇଛନ୍ତି । ବାଲିଗୁଡା ନିର୍ବାଚନ ମଣ୍ଡଳୀର ତୁମୁଡିବନ୍ଧର ସିର୍ଲା ପଞ୍ଚାୟତର ସମ୍ବେଦନଶୀଳ ବୁଥର ୧୩୭ ଓ ୧୩୮ ନମ୍ବର ବୁଥ, ପାରିଗଡ଼ର ୨ଟି ବୁଥ୍‌ ଓ ପକାରିର ୨ଟି ବୁଥ୍‌ର ପୋଲିଂ ଅଫିସର ସମସ୍ତ ଇଭିଏମ, ଭିଭିପାଟ୍‌ ମେସିନ୍‌, ଷ୍ଟ୍ରଙ୍ଗ ବକ୍ସ ଧରି ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଆସିଥିଲେ। ସେହିପରି ଖବର ମିଳିଥିଲା ବାରହାଲା ବୁଥ ନମ୍ବର ୧୨ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ମାଓବାଦୀ ଲ୍ୟାଣ୍ଡମାଇନ ବିଛାଇଛନ୍ତି। ଏହାପରେ ଯବାନମାନେ, ପୋଲିଂ ଅଧିକାରୀଙ୍କୁ ସେହି ରାସ୍ତାରେ ଆଣିନଥିଲେ। ୨୦ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲିଚାଲି ଆସି ହେଡ୍‌ କ୍ୱାର୍ଟରରେ ପହଞ୍ଚିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପୂର୍ବଦିନ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ବୁଥକୁ ଯାଉଥିବା ବେଳେ ପୋଲିଂ ପାର୍ଟିର ଗାଡି ପୋଡି ଦେଇଥିଲେ ମାଓବାଦୀ। ଏହାସହ ବାରହାଲ ବୁଥକୁ ଯାଉଥିବା ବେଳେ ଜଣେ ପୋଲିଂ ସୁପରଭାଇଜର ସଂଯୁକ୍ତ ଦିଗାଲଙ୍କୁ ହତ୍ୟା କରିଥିଲେ ମାଓବାଦୀ। ଏଥିରେ ଡରି ଯାଇ ନଥିଲେ ପୋଲିଂ କର୍ମଚାରୀ। ନିଜ କର୍ତ୍ତବ୍ୟରେ ସମ୍ପଦାନ କରିଥିଲେ।

Leave A Reply

Your email address will not be published.