ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ କିଟ୍ ଓ କିସ୍ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ । ଏଥିପାଇଁ କିଟ୍ ଓ କିସ୍ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗାନ୍ଧି ଜୟନ୍ତୀରେ କିଟ୍ ପରିସରରେ ଉନ୍ମୋଚିତ ହୋଇଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି । ୩୯ତମ ବିଶ୍ୱ କବି ସମ୍ମିଳନୀ ପାଇଁ ୮୨ଟି ଦେଶରୁ ଆସିଥିବା ପ୍ରତିନିଧିମାନେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି କିସ୍ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ କିସ୍ର ୨୭ ହଜାର ୫ଶହ ଛାତ୍ରଛାତ୍ରୀଙ୍କ ସହ ସେମାନେ ଗାନ୍ଧି ଜୟନ୍ତୀ ପାଳନ କରିବେ । ଏହାସହ କିଟ୍ ପରିସରରେ ନିର୍ମିତ ଗାନ୍ଧୀ ପାଠାଗାର ‘କରମଚାନ୍ଦ’କୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଏହି ପାଠାଗାରରେ ବିଭିନ୍ନ ଭାଷାରେ ଗାନ୍ଧୀଙ୍କ ଉପରେ ପ୍ରକାଶିତ ପୁସ୍ତକ ଓ ଗାନ୍ଧୀଙ୍କ ଲିଖିତ ପୁସ୍ତକ ସ୍ଥାନ ପାଇଛି। ଏହାବ୍ୟତୀତ ଭୁବନେଶ୍ୱର ଉପକଣ୍ଠରେ କିଟ୍ ଓ କିସ୍ ପକ୍ଷରୁ ଗାନ୍ଧୀଗ୍ରାମ ପ୍ରତିଷ୍ଠା କରାଯିବ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ସ୍ୱରାଜ ଓ ସ୍ୱଦେଶୀ ସାମଗ୍ରୀକୁ ଗୁରୁତ୍ୱ ଦେଇ ସମ୍ପୂର୍ଣ୍ଣ ଗ୍ରାମ୍ୟ ଶୈଳୀରେ ଏହି ଗାନ୍ଧିଗ୍ରାମ ନିର୍ମାଣ କରାଯିବ। କିସ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗାନ୍ଧୀ ଶାନ୍ତି ପଦଯାତ୍ରା ଆୟୋଜନ କରାଯିବ। ଏହାସହ ବିଶ୍ୱବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀଙ୍କ ଉପରେ ସ୍ଲୋଗାନ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।