କେନ୍ଦ୍ରାପଡ଼ା: ଚାନ୍ଦା ପାଇଁ ମୂଷାଡ଼ିଆ ଗାଁରେ କଙ୍ଗାରୁ କୋର୍ଟ, ଏମିତି ମିଳୁଛି ଅକଥନୀୟ ନିର୍ଯାତନା

କେନ୍ଦ୍ରାପଡ଼ା : ଚାନ୍ଦା ପାଇଁ କଙ୍ଗାରୁ କୋର୍ଟ। ଚାନ୍ଦା ଦେଇନପାରିଲେ ଜମିରୁ ଫସଲ କାଟି ନେବା ସହ ଚାଷଜମିରେ ପୂରେଇ ନଦେବାକୁ ଧମକ। ପ୍ରଥମେ ଚାନ୍ଦା ନ ଦେଇପାରିଲେ ପରେ ଦେବାକୁ ପଡ଼ିବ ମୋଟାଅଙ୍କର ଜରିମାନା। ଏଭଳି ହତଚକିତ କରିବା ଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ମୂଷାଡ଼ିଆ ଗାଁରେ। ଗାଁରେ ବିଭିନ୍ନ ମେଳା ମହୋତ୍ସବ, ଯାନିଯାତ୍ରା ପାଇଁ ଲୋକଙ୍କ ଉପରେ ପଡ଼ୁଛି ମୋଟା ଅଙ୍କର ଜରିମାନା। ପ୍ରତି ପରିବାରର ଜଣ ପିଛା ଶହେ ଟଙ୍କା ଲେଖାଏଁ ଦେବାକୁ ବାଧ୍ୟ କରାଯାଇଛି।

ଗାଁର ୧୨୬ଟି ପରିବାରୁ ୬ଟି ପରିବାର ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ସେମାନଙ୍କୁ ଅକଥନୀୟ ନିର୍ଯାତନା ସହିବାକୁ ପଡ଼ିଛି। ଏପରିକି ଗ୍ରାମବାସୀ ସେମାନଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେବା ସହ ଯିଏ କଥାବାର୍ତ୍ତା କରିବ ତାଙ୍କ ଉପରେ ୫ଶହ ଟଙ୍କା ଫାଇନ ପକାଯାଉଛି। ଦୀର୍ଘ ତିନିବର୍ଷ ଧରି ନିଜ ଗାଁରେ ନିର୍ବାସିତ ଜୀବନ ବିତାଉଛନ୍ତି ୬ଟି ପରିବାର। ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣିବାକୁ ନାହିଁ। ସେପଟେ ଗ୍ରାମବାସୀ ଏହାକୁ ଅସ୍ୱୀକାର କରିବା ସହ ଏହି ୬ଟି ପରିବାର ଗାଁରେ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାର ପରିସ୍ଥିତି ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.