ବାଲକୋନିରୁ ଖାଦ୍ୟ ପୁଡିଆ ବାନ୍ଧି ତଳକୁ ଝୁଲାଇ ରଖୁଛନ୍ତି ଇଟାଲୀ ବାସିନ୍ଦା, ଏମିତି ଉପାୟରେ ଗରିବଙ୍କ ମୁଁହରେ ଦେଉଛନ୍ତି ଦାନା
କରୋନା ଭାଇରସ ଯୋଗୁ ପାଖାପାଖି ପୂରା ବିଶ୍ୱ ଏବେ ଲକଡାଉନ। କିନ୍ତୁ ଏହି ଲକଡାଉନ ଗରିବ ଓ ବେସାହାରାଙ୍କ ପାଇଁ କୌଣସି ବିପଦ ଠାରୁ କମ ନୁହେଁ। ଏମାନେ ହୁଏତ କରୋନାରେ ସଂକ୍ରମିତ ନ ହୋଇପାରନ୍ତି, କିନ୍ତୁ ଭୋକ ଶୋଷରେ ନିଶ୍ଚିତ ଛଟପଟ ହେଉଥିବେ। ଏଥିପାଇଁ କେନ୍ଦ୍ର ସରକାର ଏମାନଙ୍କ ଲାଗି ଅନେକ ଅଭିଯାନ ଚଲାଇଛନ୍ତି, ଯାହା ସାହାଯ୍ୟରେ ଏହି ଗରିବ ଲୋକମାନଙ୍କ ପାଖକୁ ସହାୟତା ପହଞ୍ଚା ଯାଉଛି ।
ସେପଟେ ଦାରିଦ୍ର୍ୟତା ଯୋଗୁ ଭୋକ ଉପାସରେ ପଡିଥିବା ଇଟାଲୀର ଗରିବ ଲୋକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କ ସହ ସେଠାକାର ସ୍ଥାନୀୟ ବାସିନ୍ଦା ଆଗକୁ ବାହାରିଛନ୍ତି। ଖାସ କରି ଇଟାଲୀର ନେପଲସର ଲୋକେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି।
ଲୋକମାନେ ଘରର ବଲକୋନିରେ ଖାଦ୍ୟ ଝୁଲା ଝୁଲାଇ ଗରିବଙ୍କୁ ଡାକି ଖୁଆଉଛନ୍ତି। ପାସ୍ତା, ବ୍ରେଡ଼, ଫଳ, ଟମାଟୋ ଭଳି ଜିନିଷକୁ ସେମାନେ ବାସ୍କେଟରେ ରଖି ତଳକୁ ଝୁଲାଇ ଦେଉଛନ୍ତି। ତା ପରେ ରାସ୍ତାରେ ଯାଉଥିବା ଗରିବ, ବେସାହାରା ଲୋକଙ୍କୁ ଦେଖି ସେମାନଙ୍କୁ ଖାଦ୍ୟ ଖୁଆଇବାକୁ ଡାକୁଛନ୍ତି।
କହି ରଖୁଛୁ, ଗରିବଙ୍କୁ ଏହିଭଳି ଭାବେ ଖାଦ୍ୟ ଖୁଆଇବାର ଉପାୟ ପ୍ରଥମେ ଏଞ୍ଜେଲୋ ପିକୋନିକ ନାମକ ବ୍ୟକ୍ତି ଆରମ୍ଭ କରିଥିଲେ। ତେବେ ଵ୍ୟକ୍ତି ଜଣକ ତାଙ୍କ ପଡ଼ୋଶୀଙ୍କୁ ମଧ୍ୟ ଏମିତି କରିବାକୁ ପ୍ରୋତ୍ସାହିତ କରୁଛନ୍ତି।