ଚାଲି ଚାଲି ଗାଁକୁ ଫେରୁଥିବା ବେଳେ ରାସ୍ତା ମଝିରେ ପ୍ରସବ କଲେ ମହିଳା, ଘଣ୍ଟେ ପରେ ଛୁଆକୁ କୋଳରେ ଧରି ପୁଣି ଚାଲିଲେ ୧୬୦ କିଲୋମିଟର
କରୋନା ସଙ୍କଟ ଓ ଲକଡାଉନ୍ ମଧ୍ୟରେ ଲୋକମାନେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଅନେକ ଦୁର୍ଘଟଣା ଓ ଅଘଟଣ ମଧ୍ୟ ଘଟୁଛି। ତେବେ ବର୍ତ୍ତମାନ ପୁଣି ଥରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘରକୁ ଫେରୁଥିବା ବେଳେ ଜଣେ ଗର୍ଭବତୀ ଶ୍ରମିକ ରାସ୍ତା କଡ଼ରେ ଛୁଆକୁ ଜନ୍ମ ଦେଇଛନ୍ତି। ଛୁଆକୁ ଜନ୍ମ ଦେବାର ପ୍ରାୟ ଏକ ଘଣ୍ଟା ପରେ ସେ ନବଜାତକକୁ ଧରି ପୁନର୍ବାର ପ୍ରାୟ ୧୬୦ କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ। ଏହି ସମୟରେ ସେ ମଧ୍ୟପ୍ରଦେଶ-ମହାରାଷ୍ଟ୍ରର ବିଜାସନ୍ ସୀମା ଆଖପାଖରେ ରହିଥିଲେ।
ସ୍ୱାମୀ ଓ ଛୁଆ ସହ ବିଜାସନ୍ ବର୍ଡରରେ ପହଞ୍ଚିବା ପରେ ଏନେଇ ଗଣମାଧ୍ୟମ ସୂଚନା ପାଇଥିଲା। ମହିଳାଙ୍କ ନାଁ ଶକୁନ୍ତଳା ବୋଲି ଜଣାପଡ଼ିଛି। ଏନେଇ ଶକୁନ୍ତଳା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ୭୦ କିଲୋମିଟର ଚାଲିବା ପରେ ସେ ରାସ୍ତା ମଝିରେ ଛୁଆକୁ ଜନ୍ମ ଦେଇଥିଲେ। ଏହି ସମୟରେ ଅନ୍ୟ ୪ ଜଣ ମହିଳା ତାଙ୍କୁ ସାହାଯ୍ୟ କରିଥିଲେ।
ଏନେଇ ମହିଳାଙ୍କ ସ୍ୱାମୀ ରାକେଶ କୌଲ କହିଛନ୍ତି ଯେ ସେ ମହାରାଷ୍ଟ୍ରର ନାସିକଠାରେ ଏକ କମ୍ପାନୀରେ କାମ କରୁଥିଲେ। କିନ୍ତୁ ଲକ୍ଡାଉନ୍ ଯୋଗୁ ତାଙ୍କ ଚାକିରି ଚାଲିଯାଇଥିଲା। ଏଣୁ ସେ ପରିବାର ସହ ଚାଲି ଚାଲି ଗାଁକୁ ଫେରୁଥିଲେ। ମେ ୫ରେ ଛୁଆ ଜନ୍ମ ହେବା ପରେ ସେଠାକାର ଏକ ଶିଖ ପରିବାର ଶକୁନ୍ତଳାଙ୍କୁ ସାହାଯ୍ୟ କରିବା ସହ ଛୁଆ ପାଇଁ କିଛି ପୋଷାକ ଓ ଜିନିଷ ଦେଇଥିଲେ। ବର୍ଡରରେ ପହଞ୍ଚିବା ପରେ ଚେକ୍ ପୋଷ୍ଟର ମୁଖ୍ୟ ମଧ୍ୟ ଶକୁନ୍ତଳାଙ୍କ ନିକଟକୁ ଆସିଥିଲେ। ଏବେ ଉଭୟ ଛୁଆ ଓ ମା’ଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି।