ମା’ ଓ ଝିଅ ଉଭୟଙ୍କର ସ୍ୱାମୀ ଜଣେ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଦୁନିଆରେ ସତରେ ଏମିତି ଅଦ୍ଭୁତ ପରମ୍ପରା ରହିଛି। ବାଂଲାଦେଶର ମଣ୍ଡି ଜନଜାତିରେ ଏହି ଅଜବ ପରମ୍ପରା ରହିଛି। ଏଠାରେ ଓରୋଲା ଡାଲବୋଟ ନାମ୍ନୀ ଜଣେ ଝିଅ ଛୋଟ ଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ଓରୋଲା ଛୋଟ ଥିବାରୁ ତାଙ୍କ ମା’ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ଦ୍ୱିତୀୟ ପିତାଙ୍କ ନାଁ ଥିଲା ନଟେନ୍।
ଓରୋଲା କହିଛନ୍ତି ଯେ ସେ କିଶୋରାବସ୍ଥାରେ ଉପନୀତ ହେବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଦ୍ୱିତୀୟ ପିତା ହିଁ ତାଙ୍କ ପତି। ତିନି ବର୍ଷ ବୟସରେ ହିଁ ତାଙ୍କ ବିବାହ ନଟେନ୍ଙ୍କ ସହ କରାଯାଇଥିଲା। ଏହି କଥା ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସେ ବିଶ୍ୱାସ କରିପାରିଲେନାହିଁ ଯେ ଯାହାକୁ ଏତେ ଦିନ ଯାଏଁ ସେ ବାପା ବୋଲି ଭାବୁଥିଲେ ସେ ତାଙ୍କ ବାପା ନୁହେଁ ବରଂ ତାଙ୍କ ସ୍ୱାମୀ। ସୂଚନାଯୋଗ୍ୟ ଯେ ଉକ୍ତ ଅଞ୍ଚଳରେ ପିତାଙ୍କୁ ସ୍ୱାମୀ ଭାବେ ଆପଣାଇବାର ଏକ ଅଜବ ପରମ୍ପରା ରହିଛି। ଏହି ପରମ୍ପରା ମୁତାବକ ତାଙ୍କ ବିବାହ ପିତାଙ୍କ ସହ କରାଯାଇଥିଲା।
ଏଭଳିସ୍ଥିତିରେ ଉକ୍ତ ମହିଳାଙ୍କୁ ନିଜ ସ୍ୱାମୀଙ୍କ ବଂଶର ଏକ କମ୍ ବୟସର ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡ଼ିଥାଏ। ଓରୋଲାଙ୍କ ମା’ଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। କମ୍ ବୟସର ନୂଆ ସ୍ୱାମୀଙ୍କ ବିବାହ ତାଙ୍କ ଭାବୀ ପତ୍ନୀଙ୍କ ସମେତ ଝିଅ ସହ ଗୋଟିଏ ମଣ୍ଡପରେ କରାଯାଇଥାଏ। ବିଶ୍ୱାସ ରହିଛି ଯେ ଏଭଳି କରିବା ଦ୍ୱାରା କମ୍ ବୟସର ସ୍ୱାମୀ ନୂଆ ପତ୍ନୀଙ୍କ ସହ ତାଙ୍କ ଝିଅର ମଧ୍ୟ ସ୍ୱାମୀ ହୋଇ ଉଭୟଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଏହି ପରମ୍ପରା ଯୋଗୁ ଏବେ ଓରୋଲାଙ୍କର ତାଙ୍କ ସ୍ୱାମୀ ନଟେନ୍ଙ୍କଠାରୁ ତିନିଟି ଛୁଆ ଅଛନ୍ତି। ଅନ୍ୟପଟେ ତାଙ୍କ ମା’ଙ୍କର ମଧ୍ୟ ନଟେନ୍ଙ୍କ ଠାରୁ ଦୁଇଟି ଶିଶୁ ଅଛନ୍ତି।
ଉଭୟ ମା’ ଓ ଝିଅ ଜଣେ ସ୍ୱାମୀଙ୍କ ସହ ଗୋଟିଏ ଘରେ ରହିଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପରମ୍ପରା ଯୋଗୁ ମା’ ଓ ଝିଅଙ୍କ ସମ୍ପର୍କ ଯେମିତି ହେବା କଥା ସେମିତି ରହେନାହିଁ। ସ୍ୱାମୀ ଜଣେ ହୋଇଥିବାରୁ ମା ଓ ଝିଅ ପରସ୍ପରର ସହ ସଉତୁଣୀ ଭଳି ବ୍ୟବହାର କରିଥାନ୍ତି।