ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ଏହି ଦିନ ସାରା ଦେଶରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହୁଏ ଘୋଷଯାତ୍ରା। କିନ୍ତୁ ଚଳିତବର୍ଷ କରୋନା ପାଇଁ ପୁରୀକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ମିଳିନାହିଁ। ଏଣୁ ଅହମ୍ମଦାବାଦରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଜି ମନ୍ଦିର ପରିସରରେ ହିଁ ଅନୁଷ୍ଠିତ ହେବ।
ବାହାରେ ରଥଯାତ୍ରା ପାଇଁ ହାଇକୋର୍ଟଙ୍କ ଅନୁମତି ନ ମିଳିବାରୁ ପରମ୍ପରା ରକ୍ଷା କରିବାକୁ ମନ୍ଦିର କର୍ତ୍ତୃପକ୍ଷ ମନ୍ଦିର ଭିତରେ ହିଁ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ମନ୍ଦିରରେ ୧୪୩ ତମ ରଥଯାତ୍ରା ଅନୁଷ୍ଠିତ ହେବ। ମାତ୍ର ଏହା ବାହାରେ କରିବା ସମ୍ଭବପର ନୁହେଁ, ଏଣୁ କୋର୍ଟ ଅନୁମତି ଦେଇନାହାନ୍ତି। ତେଣୁ ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କର ଏହି ନୀତି ମନ୍ଦିର ପରିସରରେ ହିଁ ଅନୁଷ୍ଠିତ ହେବ।
ଅନ୍ୟପଟେ ପୁରୀରେ ଆଜି ରୀତିନୀତି ମୁତାବକ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ମାତ୍ର ଚଳିତଥର ପୁରୀରେ କୌଣସି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିନାହିଁ। କେବଳ ସେବାୟତ ଓ ପୋଲିସ କର୍ମୀ ଏଥରକ ରଥ ଟାଣିଥିବା ଦେଖିବାକୁ ମିଳିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ପୁରୀ ଜିଲ୍ଲାକୁ ସଟ୍ଡାଉନ୍ କରାଯାଇଛି। କେହି ପୁରୀବାସୀ ଯେମିତି ଘରୁ ନ ବାହାରନ୍ତି ତାହା ଉପରେ ପ୍ରଶାସନ ତରଫରୁ କଡ଼ା ନଜର ରଖାଯାଇଛି।