ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଉଠୁଛି ପର୍ଦ୍ଦା, ପୋଲିସ ଆଗରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀ
ନିଜ ସିନେମାରେ ସୁଶାନ୍ତ ସିଂ ରାଜପୁତଙ୍କୁ ନେବାକୁ ଚାହିଁ ମଧ୍ୟ ନେଇପାରିନଥିଲେ। ମୁମ୍ବାଇର ବାନ୍ଦ୍ରା ପୋଲିସ ଆଗରେ ନିଜର ବୟାନ ରେକର୍ଡ କରାଇ ଏହା କହିଛନ୍ତି ବିଶିଷ୍ଟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ। ସୁଶାନ୍ତ କିଛି ପ୍ରଯୋଜନା ସଂସ୍ଥା ସହ ଚୁକ୍ତିବଦ୍ଧ ଥିବା ବେଳେ ଆଉ କିଛି ସଂସ୍ଥା ସୁଶାନ୍ତଙ୍କ ବଦଳରେ ଅନ୍ୟ କଳାକାରଙ୍କୁ ନେବାକୁ ଚାପ ପକାଉଥିଲେ। ଆଗକୁ ଅନ୍ୟ କିଛି ନିର୍ଦ୍ଦେଶକଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ। ସେପଟେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ ବେଚାରାର ଟ୍ରେଲର ରିଲିଜ ହୋଇଛି। ୟୁଟ୍ୟୁବରେ ଏହା ବେଶ ଲୋକପ୍ରିୟ ହୋଇଛି ।
ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଉଠୁଛି ପର୍ଦ୍ଦା। କିଛି ନିର୍ଦ୍ଦିଷ୍ଟ ପ୍ରଯୋଜନା ସଂସ୍ଥା ମଧ୍ୟ ସେମାନଙ୍କ ସିନେମାରେ ସୁଶାନ୍ତଙ୍କ ବଦଳରେ ଅନ୍ୟ କଳାକାରଙ୍କୁ ନେବାକୁ ଚାପ ପକାଉଥିଲେ। ବାନ୍ଦ୍ରା ପୋଲିସ ଆଗରେ ନିଜର ବୟାନ ରେକର୍ଡ କରି ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀ। ତାଙ୍କ ନିର୍ଦ୍ଦେଶନାରେ ରାମଲୀଳା, ପଦ୍ମାବତ ଓ ଅନ୍ୟ ୨ଟି ସିନେମାରେ ସେ ସୁଶାନ୍ତ ସିଂ ରାଜପୁତଙ୍କୁ ନେବାକୁ ଚାହୁଁଥିଲେ। କିନ୍ତୁ ସୁଶାନ୍ତ ସେତେବେଳେ ଅନ୍ୟ ପ୍ରଡକ୍ସନ ହାଉସ ସହ ଚୁକ୍ତିବଦ୍ଧ ଥିବାରୁ ସେ ଅଭିନୟ କରିପାରିନଥିଲେ ବୋଲି ସଞ୍ଜୟ ଲୀଳୀ ଭଂସାଲି ପୋଲିସକୁ କହିଛନ୍ତି। ଦୀର୍ଘ ତିନି ଘଣ୍ଟା ଧରି ସେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ପୋଲିସ ଏବେ ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି।
ଜୁନ ୧୪ ତାରିଖରେ ନିଜ ବାନ୍ଦ୍ରାସ୍ଥିତ ବାସବଭନରେ ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂ ରାଜପୁତ। ବଲିଉଡରେ ପରିବାରବାଦ ପାଇଁ ତାଙ୍କ ସହ ଭେଦଭାବ ନେଇ ମାନସିକ ଅବସାଦରେ ସେ ଆତ୍ମହତ୍ୟା କରିିଥିବା ସୁଶାନ୍ତଙ୍କ ପରିବାର ଓ ଫ୍ୟାନ ମାନେ ଅଭିଯୋଗ କରିଥିଲେ। ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୪ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି ବାନ୍ଦ୍ରା ପୋଲିସ। ଏଥିରେ ତାଙ୍କ ପରିବାର ସଦସ୍ୟଙ୍କ ସମେତ ବନ୍ଧୁ, ସହ କଳାକାର ଓ ଘନିଷ୍ଟ ମାନେ ରହିଛନ୍ତି। ଆଗକୁ ବଲିଉଡର ଆଉ କିଛି ନାମୀଦାମୀ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।
ସେପଟେ ରିଲିଜ ହୋଇଛି ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ଦିଲ ବେଚାରାର ଟ୍ରେଲର। ସଂଜନା ସାଙ୍ଘୀଙ୍କ ସହ ଅଭିନୀତ ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ଏହା ଓଟିଟି ପ୍ଲାଟଫର୍ମରେ ୨୪ ଜୁଲାଇରେ ରିଲିଜ ହେବ। ଦୁଇ କ୍ୟାନସର ପୀଡ଼ିତଙ୍କ ଜୀବନୀକୁ ନେଇ ଏହି ସିନେମା ଜନ୍ ଗ୍ରୀନଙ୍କ ଉପନ୍ୟାସ ଦି ଫଲ୍ଟ ଇନ ଆୱାର ଷ୍ଟାରସ ଉପରେ ଆଧାରିତ।