ପୁଣି ଅନ୍ଧବିଶ୍ବାସ: ମୃତଦେହ ଉପରେ ୧୦୮ ଗରା ପାଣି ଢାଳି ଝଡ଼ାଫୁଙ୍କା କରି ଲୋକଙ୍କୁ ୨ଘଣ୍ଟା ଭୁଆଁ ବୁଲାଇଲା ଗୁଣିଆ

କଟକ : ପୁଣି ଦେଖିବାକୁ ମିଳିଛି ଅନ୍ଧବିଶ୍ବାସକୁ ବିଶ୍ବାସ କରିବାର ଏକ ନଗ୍ନ ଉଦାହରଣ । କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ମିର୍ଜାପୁର ପଞ୍ଚାୟତ କାନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯେଉଁଠାରେ ସାପ କାମୁଡ଼ିଥିବା ଜଣେ କଲେଜ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ବି ତାଙ୍କୁ ବଞ୍ଚାଇଦେବାକୁ ନିଆଯାଇଥିଲା ଜଣେ ଗୁଣିଆର ସାହାରା । ତେବେ ଦୀର୍ଘ ଦୁଇଘଣ୍ଟା ଧରି ଗାଁରେ ଗୁଣିଆ ଜଣଙ୍କ ଦେଖାଇଥିଲା ନିଜର ନାଟ ତାମସା। ମୃତଦେହ ଉପରେ ୧୦୮ ଗରା ପାଣି ଢଳାଇବା ସହ ଝଡ଼ାଫୁଙ୍କା କରି ଲୋକଙ୍କୁ ଭୁଆଁ ବୁଲାଇଥିଲା ଗୁଣିଆ ଜଣଙ୍କ। ଶେଷରେ ସବୁ ଫେଲ୍ ମାରିଲା । ତାପରେ ଧରାପଡ଼ିଯିବ ବୋଲି ଜାଣିପାରି  ଭିଡ଼ର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଲା।

ସୂଚନା ମୁତାବକ, କାନପୁର ଗ୍ରାମର ବୀରକିଶୋର ସାହୁଙ୍କ ପୁଅ ପବିତ୍ର(୧୭) ଗତକାଲି ରାତିରେ ଘରେ ଶୋଇଥିବାବେଳେ ତାଙ୍କୁ ଏକ ରଣା ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପବିତ୍ରଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ର୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରର ଲୋକେ ପବିତ୍ରଙ୍କ ମୃତଦେହ ଘରକୁ ଆଣିଥିଲେ।

ତେବେ, ପବିତ୍ର ମୃତ ବୋଲି ଜାଣିଥିଲେ ବି ଜଣେ ବ୍ୟକ୍ତିଙ୍କ ପରାମର୍ଶରେ ସମ୍ପର୍କୀୟମାନେ ନାନ୍ଦୋଳ ଅଞ୍ଚଳର ଜଣେ ଗୁଣିଆଙ୍କ ସହ ଯୋଗାଯୋଗ କରିଥିଲେ। ଘଟଣା ସମ୍ପର୍କରେ ଶୁଣି ସଂପୃକ୍ତ ଗୁଣିଆ ଝଡ଼ାଫୁଙ୍କା କରି ପବିତ୍ରଙ୍କୁ ବଞ୍ଚା‌ଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଯେଉଁ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.