ସୁଶାନ୍ତଙ୍କ ଡିପ୍ରେସନ୍ ସମ୍ପର୍କରେ ମୁମ୍ବାଇ ପୋଲିସ ଆଗରେ ମୁହଁ ଖୋଲିଲେ ଭଉଣୀ, କହିଲେ ‘୨୦୧୩ରେ ସେ ଅବସାଦଗ୍ରସ୍ତ ଥିବା କହିଥିଲେ’
ସୁଶାନ୍ତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପୋଲିସକୁ ଦେଇଥିବା ବୟାନରେ ସ୍ୱୀକାର କରିଛନ୍ତି ଯେ ୨୦୧୩ରେ ସୁଶାନ୍ତ ମନସ୍ତତ୍ତ୍ୱବିତ୍ଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ସେ ଅବସାଦଗ୍ରସ୍ତ ଥିଲେ ବୋଲି ସୁଶାନ୍ତ ତାଙ୍କୁ କହିଥିଲେ। ସୁଶାନ୍ତଙ୍କ ତିନି ଭଉଣୀ ନୀତୁ ସିଂହ, ପ୍ରିୟଙ୍କା ସିଂହ ଓ ମିତୁ ସିଂହଙ୍କ ବୟାନ ଏବେ ତଦନ୍ତର ମୋଡ଼ ବଦଳାଇ ପାରେ । କାରଣ ପରିବାର ଲୋକ ସୁଶାନ୍ତଙ୍କ ମାନସିକ ସ୍ଥିତି ବିଷୟରେ ଜାଣିଥିଲେ ମଧ୍ୟ ଜାଣିନଥିବା ନେଇ ମିଛ କହିଥିଲେ। ଅନ୍ୟପଟେ ରିୟା ଚକ୍ରବର୍ତ୍ତୀଙ୍କ ଟିମ୍ର ଅଭିଯୋଗ ଥିଲା ଯେ ସୁଶାନ୍ତ ଡିପ୍ରେସନ୍ ବା ଅବସାଦରେ ଥିଲେ । ଯାହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ।
ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ମିତୁ ସିଂହ ତାଙ୍କ ସହ ରହିଥିଲେ। ସେ ପୋଲିସକୁ କହିଥିଲେ ଯେ ଡିପ୍ରେସନ୍ରେ ଥିବା କଥା ସୁଶାନ୍ତ ଗତ ବର୍ଷ ପରିବାର ଲୋକଙ୍କୁ କହିଥିଲେ। ପୋଲିସକୁ ଦେଇଥିବା ବୟାନରେ ମିତୁ ସିଂହ କହିଥିଲେ, ଅକ୍ଟୋବର ୨୦୧୯ରେ ସୁଶାନ୍ତ ପୂରା ପରିବାରକୁ ଏ କଥା ଜଣାଇଥିଲେ। ଭଉଣୀ ନୀତୁ ସିଂହ ଓ ପ୍ରିୟଙ୍କା ସିଂହ ମଧ୍ୟ ଦିଲ୍ଲୀ ଓ ହରିୟାଣାରୁ ସୁଶାନ୍ତଙ୍କ ପାଖକୁ ମୁମ୍ବାଇ ଆସିଥିଲେ। ବାନ୍ଦ୍ରା େଓ୍ଵଷ୍ଟସ୍ଥିତ ଜାଗର୍ସ ପାର୍କରେ ମାଉଣ୍ଟ ବ୍ଲକ ବିଲ୍ଡିଂର ଫ୍ଲାଟ ନମ୍ବର ୬୦୧ରେ ତାଙ୍କୁ ଭେଟିଥିଲୁ। ସବୁ ଭଉଣୀ କିଛି ସମୟ ତାଙ୍କ ପାଖରେ ରହି ବୁଝାଇଥିଲୁ। ମୋ ଭାଇ ତାର କ୍ୟାରିୟର୍ରେ ସମସ୍ୟା ନେଇ ଉଦାସ ଥିଲା।
ମିତୁ ସିଂହ କହିଛନ୍ତି, ସେତେବେଳେ ନୀତୁ ସୁଶାନ୍ତଙ୍କୁ ତାଙ୍କ ସହ ଦିଲ୍ଲୀ ଯିବାକୁ କହିଥିଲେ। କିନ୍ତୁ ସୁଶାନ୍ତ କିଛି ଦିନ ପରେ ଯିବେ ବୋଲି କହିଥିଲେ। ୨୦୧୯ ନଭେମ୍ବରରେ ସେ ଡିପ୍ରେସନ୍ର ଚିକିତ୍ସା ପାଇଁ ହିନ୍ଦୁଜା ହସ୍ପିଟାଲରେ ଡା. କେରସୀ ଛାବଡ଼ାଙ୍କ ପରାମର୍ଶ ନେଇଥିଲେ। ମାର୍ଚ୍ଚ ୨୦୨୦ରେ କରୋନା ଯୋଗୁ ସେ ଘରେ ହିଁ ଥିଲେ। ଏହି ସମୟରେ ସେ ବହି ପଢ଼ୁଥିଲେ, ବ୍ୟାୟାମ କରୁଥିଲେ, ଧ୍ୟାନ ଓ ଯୋଗ କରୁଥିଲେ। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ସ୍ୱାମୀ ଓ ଝିଅ ସହ ଗୁରୁଗାଓଁରେ ରୁହନ୍ତି।