କଙ୍ଗନା ରାଣାଓ୍ଵତ୍‌ଙ୍କୁ ସୁରକ୍ଷା ଦେବେ ହିମାଚଳ ପ୍ରଦେଶ ସରକାର, ଅଭିନେତ୍ରୀଙ୍କ ପିତା କରିଥିଲେ ଅନୁରୋଧ

ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ର ରାଜ୍‌ ଖୋଲିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌। ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ କଙ୍ଗନା ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଜାରି ରହିଛି। କଙ୍ଗନା ଏବେ ନିଜ ହୋମ୍‌ଟାଉନ୍‌ରେ ଅଛନ୍ତି ଓ ସେପ୍ଟେମ୍ବର ୯ରେ ମୁମ୍ବାଇ ଫେରିବେ। ଏଭଳିସ୍ଥିତିରେ କଙ୍ଗନାଙ୍କ ବାପା ହିମାଚଳ ପ୍ରଦେଶ ସରକାରଙ୍କ ଠାରୁ ପୋଲିସ ସୁରକ୍ଷା ମାଗିଛନ୍ତି।

ଏନେଇ ସୂଚନା ଦେବା ଅବସରରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ‘କଙ୍ଗନାଙ୍କୁ Y+ ସିକ୍ୟୁରିଟି ଦିଆଯାଇଛି। କଙ୍ଗନା ରାଣାଓ୍ଵତଙ୍କ ପିତା ଲିଖିତ ଆକାରରେ ପୋଲିସ ସୁରକ୍ଷା ମାଗିଥିଲେ। ଏନେଇ ମୁଁ ଡିଜିପିଙ୍କ ସହ କଥା ହୋଇଥିଲି। ଏବେ କଙ୍ଗନାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ୯ ରେ କଙ୍ଗନା ମୁମ୍ବାଇ ଯିବାକୁ ଥିବାରୁ ହିମାଚଳ ପ୍ରଦେଶ ବାହାରେ ତାଙ୍କୁ କିଭଳି ସୁରକ୍ଷା ଦେଇ ହେବ ସେ ନେଇ ଆମେ ଚର୍ଚ୍ଚା କରୁଛୁ ବୋଲି ଶ୍ରୀ ଠାକୁର କହିଛନ୍ତି’।


ନିକଟରେ କଙ୍ଗନା ଟ୍ଵିଟରରେ ଏକ ଭିଡିଓ ସେୟାର କରିଥିଲେ। ସେଥିରେ ତାଙ୍କ ମାତା ପିତା ଖାସ୍‌ କରି ତାଙ୍କ ପିତା ଚିନ୍ତାବ୍ୟକ୍ତ କରୁଥିବା ଦେଖାଯାଇଛି। କଙ୍ଗନାଙ୍କ ବାପା ଅମରଦୀପ ରାଣାଓ୍ଵତ୍‌ ମଧ୍ୟ ତାଙ୍କୁ ‘ସିଂହୀ’ ବୋଲି ସମ୍ବୋଧିତ କରିଥିଲେ ଓ ତାଙ୍କୁ କାହା ସହ ଝଗଡ଼ା କରିବାକୁ ମନା କରିଥିଲେ। ଏହି ଭିଡିଓ ସେୟାର କରି କଙ୍ଗନା କ୍ୟାପ୍‌ସନ୍‌ରେ ଲେଖିଥିଲେ ଆପଣ ମାଫିଆଙ୍କ ସହ ଲଢ଼ିପାରିବେ, ସରକାରୀ ଚ୍ୟାଲେଞ୍ଜ ସହ ଲଢ଼ିପାରିବେ କିନ୍ତୁ ଘରର ବ୍ଲାକ୍‌ମେଲକୁ କେମିତି ସମ୍ଭାଳିବେ?’

ସୂଚନାଯୋଗ୍ୟ ଯେ କଙ୍ଗନାଙ୍କୁ ଶିବସେନାର ସାଂସଦ ସଞ୍ଜୟ ରାଉତ ଧମକ ଦେଇ ମୁମ୍ବାଇ ଆସିବାକୁ କହିଥିଲେ। ଏହାର ଜବାବରେ କଙ୍ଗନା କହିଥିଲେ ସେପ୍ଟେମ୍ବର ୯ରେ ମୁମ୍ବାଇ ଯାଉଛି। କାହାର ବୋପାର ଦମ୍‌ ଅଛି ରୋକିକି ଦେଖାଅ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.