ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୪୬ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଛି କିଙ୍ଗସ୍ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୨ଟି ୱିକେଟ ହରାଇ ୧୫୦ ରନ୍ କରି ବିଜୟ ହାସଲ କରିଛି। ପଞ୍ଜାବ ପକ୍ଷରୁ ପ୍ରଥମରୁ ଦୁଇ ଓପନର ସର୍ତକତାର ସହ ବ୍ୟାଟିଂ କରିଥିଲେ। କେ.ଏଲ୍ ରାହୁଲ ୨୫ ବଲରେ ୨୮ ରନ୍ କରିଥିବା ବେଳେ ମନଦୀପ ସିଂ ସର୍ବାଧିକ ୫୫ ବଲରେ ୬୬ ରନ୍ କରିଥିଲେ। ସେହିପରି କ୍ରିସ୍ ଗେଲ୍ଙ୍କ ଦମ୍ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା।
ଅନ୍ୟପଟେ କୋଲକାତା ପକ୍ଷରୁ ବରୁନ ଚକ୍ରବର୍ତ୍ତୀ ଓ ଲକି ଫର୍ଗୁସନ୍ ୧-୧ ୱିକେଟ ନେଇଥିବା ବେଳେ ଅନ୍ୟ ୩ ଜଣ ବୋଲର କୌଣସି ବି ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ । ଫଳରେ ପଞ୍ଜାବ ଏହି ମ୍ୟାଚକୁ ୮ ୱିକେଟରେ ଜିତି ନେଇଥିଲା । ଏହି ବିଜୟ ସହ ପଞ୍ଜାବ ୧୨ ପଏଣ୍ଟ ହାସିଲ କରି ଦଳ ତାଲିକାରେ ୪ର୍ଥ ସ୍ଥାନରେ ରହିବା ସହ ପ୍ଳେ ଅଫକୁ ଯିବା ପାଇଁ ନିଜର ସ୍ଥିତି ଦୃଢ କରିଛି । ପୂର୍ବରୁ ପଞ୍ଜାବ ଦଳ ଟସ ଜିଣି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମାତ୍ର କୋଲକାତା ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୯ ରନ କରିଥିଲା