ଅନାଥ ଝିଅ ସସ୍ମିତାଙ୍କ ହାତ ଧରିବାକୁ ଛତିଶଗଡରୁ ଧାଇଁ ଆସିଛନ୍ତି ମୋହନଲାଲ

ସୁନ୍ଦରଗଡ (କେନ୍ୟୁଜ) : ସଜେଇ ହୋଇ ବେଦୀରେ ବସିଛି କନ୍ୟା । ପାଖରେ ବସିଛି ବର । ବ୍ରାହ୍ମଣଙ୍କ ମନ୍ତ୍ର ପାଠଭିତରେ ସମ୍ପୂର୍ଣ୍ଣ ରିତିନୀତିରେ ହେଉଛି ବାହାଘର । ବ୍ରାହ୍ମଣ ଗୋଟିଏ ପରେ ଗୋଟିଏ ନିୟମ କହୁଛନ୍ତି ଆଉ ଏମାନେ ତାକୁ କରିଚାଲିଛନ୍ତି । ସେହି ମନ୍ତ୍ର ପାଠରେ ବିବାହର ଗୁରୁତ୍ୱପୂର୍ଣ୍ଣ ଅର୍ଥକୁ ବି ବୁଝାଉଛନ୍ତି । ବନ୍ଧୁ ପରିଜନ ସର୍ମ୍ପକୀୟଙ୍କ ଉପସ୍ଥିତିରେ ଚାଲିଛି ବାହାଘର କାମ ।

ଏପଟେ କନ୍ୟା ମନରେ ଅନେକ ସ୍ୱପ୍ନ ଆଉ ଆଶା । ସେ କେବେ ଭାବି ବି ନଥିଲା ଏମିତି ବି ଗୋଟେ ଦିନ ତା ଭାଗ୍ୟରେ ଆସିବ । ଆଉ ଅନ୍ୟ ଝିଅଙ୍କ ଭଳି ତାର ବି ସ୍ୱପ୍ନର ରାଜ କୁମାର ଆସିବ ଆଉ ତା ହାତ ଧରି ନେଇଯିବ । ଆଜି ସେହି ସ୍ୱପ୍ନ ବାସ୍ତବ ରୂପ ନେଇଛି । ସତକୁ ସତ ବର ଆସିଛି ଛତିଶଗଡ ରାଜ୍ୟରୁ । ବଧୂ ବେଶରେ ତାକୁ ନେଇଯିବ ବୋଲି ।

ଦର୍ଶକ ବନ୍ଧୁ କନ୍ୟା ବେଶରେ ଆପଣ ଯାହାଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ସସ୍ମିତା । ପିଲାଟି ବେଳରୁ ତାଙ୍କର କିଏ ଅଛି ସେ ଜାଣି ନାହାଁନ୍ତି । ଅନାଥାଶ୍ରମରେ ବଢ଼ିଛନ୍ତି । ବାପା ମାଆ ଛେଉଣ୍ଡ ସସ୍ମିତା କେବେବି ଭାବି ନଥିଲେ ଦିନେ ତାଙ୍କର ବି ବର ଆସିବ । ମଥାରେ ନାଲି ଓଢ଼ଣୀ ପକାଇ ସେ ବେଦୀରେ ବସିବେ ଆଉ ସିନ୍ଦୁର ପିନ୍ଧାଇ ବାହା ହୋଇ ନେଇଯିବ ବର ।

ହେଲେ ଆଜି ଏସବୁ ହୋଇ ପାରିଛି କେବଳ ଜୟଶଙ୍କର ସେବାଶ୍ରମ ପାଇଁ । ଅନାଥଙ୍କ ସାହା ଭରସା ସାଜିଥିବା ସୁନ୍ଦରଗଡର ଏକମାତ୍ର ଅନୁଷ୍ଠାନ । ବେଲସରା ସ୍ଥିତ ଜୟଶଙ୍କର ସେବାଶ୍ରମରେ ଆଜି ଜଣେ ନିରାଶ୍ରୟ ଝିଅ ସସ୍ମିତା ବାହାଦୁରଙ୍କର ବାହାଘର ହୋଇଛି । ଏ ବାହାଘର ସାରା ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଦୀର୍ଘ ବର୍ଷ ପୂର୍ବେ ବାପା ମା ଚାଲି ଯାଇଥିଲେ । ସେମାନଙ୍କୁ ହରାଇବା ପରେ ଛୋଟ ବେଳୁ ସସ୍ମିତା ଏହି ସେବାଶ୍ରମ ରେ ରହି ଆସୁଥିଲେ । ଆଜି ତାଙ୍କୁ ଜୀବନ ସାଥୀ ଭେଟି ଦେଇଛି ଏହି ଆଶ୍ରମ । ଛତିଶଗଡ ରାଜ୍ୟର ରାଏଗଡ ଜିଲ୍ଲାରୁ ଆସିଛି ବର । ତମନାର ଥାନା ଅନ୍ତର୍ଗତ ବନେକେଲା ଗାଁର ରାମଭଜନ ପଟେଲଙ୍କ ପୁଅ ମୋହନଲାଲଙ୍କ ସହ ସସ୍ମିତାଙ୍କ ବାହାଘର ହୋଇଛି । ବେଲସରା ଆଶ୍ରମ ପରିସରରେ ଥିବା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ବହୁ ଆଡମ୍ବର ସହ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ବିବାହ କରାଇ ନବ ଦମ୍ପତିଙ୍କ ସୁଖ ଶାନ୍ତି ଓ ଦୀର୍ଘାୟୁ କାମନା କରିଛନ୍ତି ଉପସ୍ଥିତ ଲୋକେ । ଆଶୀର୍ବାଦ ପ୍ରଦାନ କରିଛନ୍ତି । ଆଶ୍ରମର ପରିଚାଳିକା ଭାରତୀ ନାହାକ ଓ ସ୍ବାମୀ ସୁଶିଲ କୁମାର ନାୟକ କନ୍ୟାଦାନ କରିଥିଲେ ।

ଆଶ୍ରମ ପ୍ରତିଷ୍ଠା ପର ଠୁ ଏପର୍ଯ୍ୟନ୍ତ ସମୁଦାୟ ୧୭ ଜଣ ଝିଅଙ୍କୁ ବିବାହ କରାଇଛନ୍ତି ଆଶ୍ରମ କର୍ତ୍ତୃପକ୍ଷ । ଆଶ୍ରମର ସମସ୍ତ କର୍ମକର୍ତ୍ତା ଏବଂ ଅନ୍ତେବାସୀ ସସ୍ମିତାଙ୍କ ବାହାଘରରେ ଖୁସିରେ ସାମିଲ ହୋଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରିବନ୍ତ ଜେନା ,ସି ଡବ୍ଲୁ ସି ଅଧ୍ୟକ୍ଷ ନନ୍ଦଲାଲ ନାଏକ,ବାଲ ମୁକୁନ୍ଦ ଶୁକ୍ଳା,ଆକାଶ ପାତ୍ର,ସଭାପତି ଜୟକୃଷ୍ଣ ସାହୁ,ମୋହିନୀ ନାଏକ,ସମ୍ପାଦକ ନରସିଂହ ରଣା ପ୍ରମୁଖ ଉପସ୍ଥିତ ଥିଲେ।
ନିରାଶ୍ରୟଙ୍କ ଆଶ୍ରୟ ପାଲଟିଛି ଏହି ଆଶ୍ରମ । କେତେ କେତେ ଝିଅ ସାହାରା ପାଇ ନଜ ଜୀବନ ଗଢ଼ିଛନ୍ତି ଏଇଠାରୁ । ସତରେ ଏମିତି ଯଦି ସମସ୍ତଙ୍କ ମନ ହୋଇଯାନ୍ତା ତେବେ କେହି ଆଉ ନିଜକୁ ଅନାଥ ଭାବନ୍ତେନି କି ନିଜକୁ ଏକା ମନେ କରନ୍ତେନି ।

Leave A Reply

Your email address will not be published.