ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କୃଷକଙ୍କ କଲ୍ୟାଣ ନିମନ୍ତେ ନିଜର ପ୍ରଥମ ଫାଇଲ୍‌ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ପିଏମ୍‌ କିସାନ ନିଧି’ର ୨୦ ହଜାର କୋଟି ଟଙ୍କା ଜାରି କରିଛନ୍ତି । ମୋଦିଙ୍କର ଏହି ନିଷ୍ପତ୍ତି ଦ୍ୱାରା ୯.୩ କୋଟି ଚାଷୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ଆଜି ପିଏମ୍‌ କିସାନ ନିଧିର ୧୭ତମ କିସ୍ତି ଟଙ୍କା ଜାରି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ । ତେଣୁ କାର୍ଯ୍ୟଭାର ସମ୍ଭାଳିବା ପରେ ମୋର ପ୍ରଥମ ଫାଇଲ କୃଷକଙ୍କ କଲ୍ୟାଣ ସହ ଜଡିତ ରହୁ । ଆଗାମୀ ସମୟରେ କୃଷକ ଏବଂ କୃଷି କ୍ଷେତ୍ର ପାଇଁ ଆମ ସରକାର ଆହୁରି ବି ଅଧିକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ।

କହି ରଖୁଛୁ ଯେ ‘ପିଏମ୍‌ କିସାନ ନିଧି’ର ୧୭ତମ କିସ୍ତିରେ ଜାରି କରାଯାଇଥିବା ୨୦,୦୦୦ କୋଟି ଟଙ୍କା କୃଷକମାନଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବ ।

ଏହି ଯୋଜନା ୨୦୧୯ରେ ଆରମ୍ଭ କରାଯାଇଥିଲା । ଏହା ପୂର୍ବରୁ ଏହାର ୧୬ତମ କିସ୍ତି ଜାରି ହୋଇସାରିଛି । ପିଏମ୍‌ କିସାନ ନିଧି ଅଧୀନରେ ଦେଶର କ୍ଷୁଦ୍ର ଏବଂ ସୀମାନ୍ତ କୃଷକମାନଙ୍କୁ ବର୍ଷକୁ ତିନିଟି କିସ୍ତିରେ ୨,୦୦୦ ଟଙ୍କା ଲେଖାଏ ଦିଆଯାଉଛି । ଏହିପରି ସେମାନେ ବର୍ଷକୁ ୬,୦୦୦ ଟଙ୍କା ପାଉଛନ୍ତି ।

ତେବେ ଯଦି ଆପଣ ୧୭ତମ କିସ୍ତି ଟଙ୍କା ମିଳିଛି କି ନାହିଁ, ତାହା ଜାଣିବାକୁ ଚାହୁଁଛନ୍ତି, ଏହାକୁ ଘରେ ବସି ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ପିଏମ୍‌ କିସାନ ପୋର୍ଟାଲ https://pmkisan.gov.in/ ଭିଜିଟ୍‌ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ e-KYC କରିବା ମଧ୍ୟ ବାଧ୍ୟତାମୂଳକ ।

ଗତକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Leave A Reply

Your email address will not be published.