ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ

ନୟାଗଡ(କେନ୍ୟୁଜ୍‌): ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ। ତାଙ୍କୁ ଓଡ଼ିଶାର ଦ୍ୱିତୀୟ ସାଲବେଗ ବୋଲି ସମସ୍ତେ କହିଥାନ୍ତି। ଦୁଇ ଭଉଣୀଙ୍କ ପରେ ତାଙ୍କ ମାଁ ଜଗନ୍ନାଥଙ୍କ ପାଖରେ ଭିକ ମାଗି ତାଙ୍କୁ ଜନ୍ମ ଦେଇଥିବାରୁ ତାଙ୍କ ନାଁ ଭିକାରୀ ରଖିଥିଲେ। ଅନ୍ୟପଟେ ସେ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ନାଁ ମହମ୍ମଦ ମଧ୍ୟ ରଖାଯାଇଥିଲା। ଜୀବନ ସାରା ଭିକାରୀ କେବଳ ଜଗନ୍ନାଥଙ୍କ ଭଜନ ଗାଉଥିଲେ। ସ୍ୱର୍ଗତ ଭିକାରୀ ବଳ, ଅରବିନ୍ଦ ମୁଦୁଲି, ପ୍ରଫୁଲ କର, ସିକନ୍ଦର ଆଲାମଙ୍କ ସହ ମଞ୍ଚରେ ଭଜନ ପରିବେଷଣ କରିଥିବା ବେଳେ ପ୍ରତିବର୍ଷ ରଥଯାତ୍ରା ସମୟରେ ସେ ପୁରୀରେ ଜଗନ୍ନାଥ ଭଜନ ପରିବେଷଣ କରିଥାନ୍ତି। ଏଥିପାଇଁ ସେ ପୁରୀ ଗଜପତି ମହାରାଜାଙ୍କ ପାଖରୁ ପୁରସ୍କୃତ ହୋଇଛନ୍ତି।

ଜୀବନର ଅଧିକାଂଶ ସମୟ ସେ ମନ୍ଦିର ବେଢାରେ କଟାଇଥିବା ବେଳେ ଓଡିଶା ସଙ୍ଗୀତ ନାଟକ ଏକାଡେମି ସାହିତ୍ୟ ଏକାଡେମି, ରୁଚି ପ୍ରତିଭା ସମ୍ମାନ ଭଳି ବହୁ ସମ୍ମାନର ସେ ଅଧିକାରୀ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ ବିଧାୟକ ଅରୁଣ ସାହୁ ଶୋକ ପ୍ରକାଶ କରିଥିବା ବେଳେ ନୟାଗଡ ଜିଲ୍ଲାର ଅନେକ ଅନୁଷ୍ଠାନ କଳାକାର ସଂଘ ଶୋକ ପ୍ରକାଶ କରିଛନ୍ତି । ଜୀବନ ଯୁଦ୍ଧରେ ହାରିଯାଇଥିଲେ ମଧ୍ୟ କେବଳ ସରକାର ତାଙ୍କୁ କଳାକାର ଭତା ଛଡା ଘରେ ଖଣ୍ଡେ ମଧ୍ୟ ଦେଇ ପାରିନଥିଲେ । ଭଙ୍ଗା ଟାଇଲ୍‌ ଛପର ଘରେ ରହିଥିଲେ ମଧ୍ୟ କେବେ ମନରେ ଦୁଖ କରିନଥିଲେ ଭିକାରୀ। ନୟାଗଡ ଜିଲ୍ଲାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଭିକାରୀ ମହମ୍ମଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.