ଟ୍ରେନିଂ ନେଉଥିବା ୩୩ ଅଧିକାରୀ କରୋନା ସଂକ୍ରମିତ, ୨ ଦିନ ପାଇଁ ସିଲ୍‌ ହେଲା ଏକାଡେମୀ

ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନ୍‌ରେ ଆଇଏଏସ୍‌ ଟ୍ରେନିଂ ନେଉଥିବା ୩୩ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶାସନ ତରଫରୁ ଇନ୍‌ଷ୍ଟିଚ୍ୟୁଟ୍‌କୁ ୨ ଦିନ ପାଇଁ ସିଲ୍‌ କରିଦିଆଯାଇଛି। ଏଥିସହ ସଂକ୍ରମିତ ଅଫିସରଙ୍କୁ ଚିକିତ୍ସା ପାଇଁ ପଠାଯାଇଛି।

ଏନେଇ ଏକାଡେମୀର ଡାଇରେକ୍ଟର ସଞ୍ଜୀବ ଚୋପ୍ରା କହିଛନ୍ତି, LBSNA ରେ ୩୩ ଜଣ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଣୁ ପ୍ରଶାସନ ତରଫରୁ ହଷ୍ଟେଲ, ମେସ୍‌, ଆଡମିନିଷ୍ଟ୍ରେସନ୍‌ କାର୍ଯ୍ୟାଳୟ ଓ ପୁସ୍ତକାଳୟକୁ ସାନିଟାଇଜ୍‌ କରାଯାଉଛି। ଏଥିସହ ଯେମିତି ଏହି ଦୁଇ ଦିନ କେହି ଇନ୍‌ଷ୍ଟିଚ୍ୟୁଟ୍‌କୁ ପ୍ରବେଶ ନ କରିବେ ତା’ ଉପରେ ମଧ୍ୟ ବିଶେଷ ନଜର ରଖାଯାଇଛି।

ସୂଚନାଯୋଗ୍ୟ ଯେ ଏବେ ଲାଲ୍‌ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନ୍‌ରେ ଆଇଏଏସ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କ ଟ୍ରେନିଂ ଚାଳିଛି। ମାତ୍ର କାହା ମାଧ୍ୟମରେ ଏତେ ଜଣ ଅଧିକାରୀ ଅଚାନକ ସଂକ୍ରମିତ ହେଲେ ଏବେ ଯାଏଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.