କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (୧୭ ।୧୨): ବର୍ତ୍ତମାନ ସମୟରେ ଦିଲ୍ଲୀ ଗସ୍ତରେ ଥିବା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଗୁରୁବାର ସକାଳେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି । କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ନେଇ ଶ୍ରୀ ସାମନ୍ତ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । କନ୍ଧମାଳରେ ପର୍ଯ୍ୟଟନର ବିକାଶ ଲାଗି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପଟେଲ୍‍ କହିଥିଲେ । ଏହି ଅବସରରେ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି ନେଇ ଶ୍ରୀ ସାମନ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ଏହା ଉପରେ ମନ୍ତ୍ରୀ ଶ୍ରୀ ପଟେଲ କହିଲେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଓଡ଼ିଶାବାସୀଙ୍କ ଏହି ଦାବି ଉପରେ ଖୁବ୍‍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା କାଳରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳର ଦାରିଙ୍ଗିବାଡ଼ିକୁ ଓଡ଼ିଶାର କାଶ୍ମୀର କୁହାଯାଏ ବୋଲି ମନ୍ତ୍ରୀଙ୍କୁ କହିଥିଲେ।

ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅନେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଥିବା ସେ ମନ୍ତ୍ରୀଙ୍କୁ ଜଣାଇଥିଲେ। ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଏତେ ସବୁ ପର୍ଯ୍ୟଟନସ୍ଥଳୀ ଥିବା ଶୁଣି ମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଖୁସି ବ୍ୟକ୍ତ କରିଥିଲେ। ଏ ସବୁ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଆଲୋଚନା ସମୟରେ କଥା ପ୍ରସଙ୍ଗରେ ଓଡ଼ିଶା ଉପକୂଳ ପର୍ଯ୍ୟଟନର ବିକାଶ ପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପଟେଲ ପ୍ରକାଶ କରିଥିଲେ। ଏହା ବ୍ୟତୀତ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରକାଶ ପାଉଥିବା ପର୍ଯ୍ୟଟନ ସୂଚନା ପୁସ୍ତିକାଗୁଡ଼ିକ ଆଞ୍ଚଳିକ ଭାଷାରେ ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିରେ ଓଡ଼ିଆ ଭାଷାକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.