ଭାରତବର୍ଷର ଏକମାତ୍ର ଏଭଳି ବ୍ୟାଙ୍କ, ଯିଏ କେବଳ ଯୌନ କର୍ମୀଙ୍କୁ ଯୋଗାଉଛି ଅର୍ଥନୈତିକ ସେବା
ପେଟର ଜ୍ୱାଳା ମେଣ୍ଟାଇବାକୁ ହଜାର ହଜାର ମହିଳା ନିଜ ପରିଚୟ ଲୁଚାଇ ସୋନାଗାଚ୍ଛିର ନିଷିଦ୍ଧ ପଲ୍ଲୀକୁ ନିଜ ଠିକଣା କରି ନେଇଛନ୍ତି। କିନ୍ତୁ ସେମାନଙ୍କ ନିକଟରେ କୌଣସି ସରକାରୀ ପରିଚୟ ପତ୍ର ନାହିଁ। ଏଣୁ ସେମାନେ ଯାହା ବି କିଛି ରୋଜଗାର କରନ୍ତି ତାହା ହଡପ ହୋଇଯାଏ। ଏଣୁ ଯୌନ କର୍ମୀଙ୍କୁ ଅର୍ଥନୈତିକ ସେବା ଯୋଗାଇବାକୁ କଲିକତାର ନିଷିଦ୍ଧ ପଲ୍ଲୀରେ ପ୍ରତିଷ୍ଠା ହୋଇଛି ଭାରତବର୍ଷର ଏକମାତ୍ର ବ୍ୟାଙ୍କ – ଉଷା ସମବାୟ ସମିତି। ଉଭୟ ପଶ୍ଚିମବଙ୍ଗ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଦ୍ଵାରା ଏହି ବ୍ୟାଙ୍କ ଅନୁମୋଦନ ପାଇଛି। ଯୌନ କର୍ମୀଙ୍କ ସଂଗଠନ ଦୁର୍ବାର ଏହି ଉଷା ବ୍ୟାଙ୍କ ପ୍ରତିଷ୍ଠା କରି ସମବାୟର ସ୍ୱୀକୃତି ଆଣିଛି। ଫଳରେ ଯୌନ କର୍ମୀମାନେ ଆକାଉଣ୍ଟ ଖୋଲିବାର ସୁଯୋଗ ପାଉଛନ୍ତି।
ସୋନାଗାଚ୍ଛିର ଏହି ମହିଳାମାନେ କେବଳ ଦୁର୍ବାର ସଂଗଠନର ସୁପାରିଶ ପତ୍ର ଦେଖାଇ ଏଠାରେ ପାସ୍ ବୁକ ଖୋଲିପାରୁଛନ୍ତି। ଯେହେତୁ ସେମାନଙ୍କର ଆଧାର ଓ ଭୋଟର କାର୍ଡ ନାହିଁ, ତେଣୁ ସେମାନେ ଅନ୍ୟ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପାରୁନାହାନ୍ତି। ସେଥିପାଇଁ ସେମାନଙ୍କୁ ଏଭଳି ସୁଯୋଗ ଦୁର୍ବାରର ପ୍ରଚେଷ୍ଟାରେ ମିଳିଛି। ଯାହାଦ୍ଵାରା ସେମାନେ ନିଜ ଅର୍ଥକୁ ସୁରକ୍ଷିତ ରଖିପାରୁଛନ୍ତି। ପୂର୍ବରୁ ସେମାନେ ଯାହା ରୋଜଗାର କରୁଥିଲେ ସେହି ଅର୍ଥକୁ ମାଲିକାଣୀ ଏବଂ ଗୁଣ୍ଡାମାନେ ନେଇଯାଉଥିଲେ। ଫଳରେ ସେମାନଙ୍କ ଶେଷ ଜୀବନ ଦୁର୍ବିସହ ହୋଇପଡ଼ୁଥିଲା। କିନ୍ତୁ ଏବେ ଏହି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପରେ ସେମାନେ ନିଜ ଟଙ୍କାକୁ ସଞ୍ଚୟ କରିପାରୁଛନ୍ତି।
ଏହି ବ୍ୟାଙ୍କରେ ଅନ୍ୟ ଜାତୀୟସ୍ତରର ବ୍ୟାଙ୍କ ଭଳି ସୁଯୋଗ ମିଳେ। ଏବେ ପ୍ରାୟ ୩୫ ହଜାର ମହିଳା ଏହି ବ୍ୟାଙ୍କର ସଦସ୍ୟା ଅଛନ୍ତି। ଏହି ବ୍ୟାଙ୍କ ଜରିଆରେ ଯୌନକର୍ମୀମାନେ ସମାଜ ସେବାର ସୁଯୋଗ ପାଇଛନ୍ତି। ଏଥିସହ ସେମାନଙ୍କୁ ଏକ ପରିପୂର୍ଣ୍ଣ ଜୀବନର ସନ୍ଧାନ ଦେଇଛି ଏହି ବ୍ୟାଙ୍କ।