ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରୁସୁଗୁଡ଼ା : ଶେଷରେ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା ଝାରୁସୁଗୁଡ଼ା ବିମାନବନ୍ଦର । ଏନେଇ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି । ଏ ବାବଦରେ ଓଡ଼ିଆରେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ । ଓଡ଼ିଶାବାସୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ଗତ ମାସ ୨୨ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ ହୋଇଥିଲା । ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଥିରେ ବିଳମ୍ବ ହେବାରୁ ଗତ ମଙ୍ଗଳବାର ଦିନ ମୋଦିଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ନେଇ ଆଜି ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ଟ୍ଵିଟ କରି କହିଛନ୍ତି ।

ଝାରସୁଗୁଡ଼ା ବିମାନବନ୍ଦରକୁ ତ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଗଲା । ହେଲେ ପୁଣି କେବେ ବିମାନ ଚଳାଚଳ? କିଛିଦିନର ଉଡାଣ ପରେ, ଉଡାନ ଯୋଜନାରେ ସେବା ଯୋଗାଉଥିବା ଏୟାର ଓଡ଼ିଶା, ଗାଏବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏୟାର ଓଡ଼ିଶା ବିମାନ ଉଡ଼ାଣ ବନ୍ଦ ରଖିଥିବା ବେଳେ ଏହାର ସମୀକ୍ଷା କରାଯିବ । ଆବଶ୍ୟକ ହେଲେ ଚୁକ୍ତିକୁ ବାତିଲ କରାଯିବ । lତେବେ ତୁରନ୍ତ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । ଝାରସୁଗୁଡ଼ା ବିମାନବନ୍ଦରରୁ କେବେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ତାକୁ ପଶ୍ଚିମ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.