ସ୍ତ୍ରୀ ଓ ୨ ଝିଅଙ୍କୁ ହତ୍ୟା କରିବା ପରେ ଟିଉସନ୍ ଦିଦିକୁ ମାରି ଶବ ସହ ଦୁଷ୍କର୍ମ କଲା ପିଶାଚ, କହିଲା ପୂରା କାହାଣୀ
ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ। ସପ୍ତାହେ ତଳେ ଜାମସେଦ୍ପୁରରେ ପତ୍ନୀ, ଦୁଇ ଝିଅ ଓ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିବା ଅପରାଧୀ ଗିରଫ। ଅଭିଯୁକ୍ତର ନାଁ ଦୀପକ କୁମାର ବୋଲି ଜଣାପଡ଼ିଛି। ପଚରାଉଚରା ବେଳେ ଦୀପକ ବହୁ ଚାଞ୍ଚଲ୍ୟକର ବୟାନ ଦେଇଛି। ସେ ନିଜ ମୁହଁରେ ମାନିଛି ଯେ ଶିକ୍ଷୟିତ୍ରୀଙ୍କୁ ମାରିବା ପରେ ସେ ଶବ ସହ ଶାରୀରିକ ସମ୍ପର୍କ ରଖିଥିଲା। ପୋଲିସ ଅଭିଯୁକ୍ତକୁ ସାଇକୋ କିଲର ବୋଲି କହିଛି। ସେ ସବୁବେଳେ ମୋବାଇଲରେ ୱେବ୍ ସିରିଜ୍ ଦେଖୁଥିଲା।
ଅଭିଯୁକ୍ତ ଦୀପକ କହିଛି, ସେ ନିଜ ପରିବାରର ସଦସ୍ୟଙ୍କୁ ମାରିବାକୁ ଚାହୁଁନଥିଲା। ବାଧ୍ୟ ହୋଇ ସେ ତାଙ୍କୁ ମାରିଲା। ସେ କେବଳ ତା’ ସାଙ୍ଗକୁ ମାରିବାକୁ ଚାହୁଁଥିଲା। କିନ୍ତୁ ପରେ ଭାବିଲା ଯଦି ମୁଁ ଜେଲ ଚାଲିଯାଏ, ତେବେ ମୋ ପରିବାର କେମିତି ବଞ୍ଚିବ। ଏହା ଭାବି ସେ ପ୍ରଥମେ ସ୍ତ୍ରୀ ପିଲାଙ୍କ ହତ୍ୟା କରିଥିଲା। ଏହି ସମୟରେ ଟିଉସନ୍ ଦିଦି ଦେଖି ଦେବାରୁ ସେ ତାଙ୍କୁ ବି ଧରା ପଡ଼ିବା ଭୟରେ ହତ୍ୟା କରିଥିଲା। ପରେ ତାଙ୍କ ହାତ, ଗୋଡ଼କୁ ବାନ୍ଧି ପିଶାଚ ଭଳି ମୃତଦେହ ସହ ବଳାତ୍କାର କରିଥିଲା। ପରେ ସେ ସାଙ୍ଗ ରୋଶନକୁ ମାରିବାକୁ ଯାଇଥିଲା। କିନ୍ତୁ ସେ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଥିଲା ଓ ପୋଲିସରେ ଯାଇ ଅଭିଯୋଗ କରିଥିଲା।
ଦୀପକ ପୋଲିସକୁ କହିଥିଲା ଯେ ସେ ଓ ରୋଶନ ମିଶି ଟ୍ରାନ୍ସପୋର୍ଟ ବେପାର ଆରମ୍ଭ କରିଥିଲେ। କିନ୍ତୁ ବ୍ୟବସାୟ ମାନ୍ଦାରେ ଚାଲୁଥିଲା। ମାତ୍ର ରୋଶନ ଏଥିପ୍ରତି ଦୃଷ୍ଟି ଦେଉନଥିଲା। ଏଣୁ ଦୀପକ ରାଗରେ ରୋଶନକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ତେବେ ଘଟଣା ଘଟାଇ ସାରିବା ପରେ ସେ ନିଜ ବୁଲେଟ୍ ବାହାର କରି ଓଡ଼ିଶାର ରାଉରକେଲା ପଳାଇ ଆସିଥିଲା। ଏଠାରେ ଏକାଧିକ ହୋଟେଲରେ ସେ ଲୁଚିଥିଲା। ସାଙ୍ଗରେ ଆଣିଥିବା ସୁନା ଗହଣା ବିକି ୪ ଲକ୍ଷ ଟଙ୍କାରେ ସେ ଖାଇପିଇ ରହୁଥିଲା। ଏହା ପରେ ସେ ଧାନବାଦ୍ ଯାଇଥିଲା। ତେବେ ମୋବାଇଲ ନମ୍ବର ଟ୍ରାକ୍ କରି ପୋଲିସ ତାକୁ ଧରିବାରେ ସଫଳ ହୋଇଥିବା ସୂଚନା ମିଳିଛି।