ଚମତ୍କାର! ୧୦ ବର୍ଷ ପରେ ପୁଣି ଚାଲିବା ଆରମ୍ଭ କଲା ୧୦୦ ବର୍ଷର ପୁରାତନ ଘଣ୍ଟା, ଭୟଙ୍କର ଭୂମିକମ୍ପରେ ଲାଗିଥିଲା ଝଟକା

ଜାପାନରେ ୧୦୦ ବର୍ଷର ଏକ ପୁରାତନ ଘଣ୍ଟା ଦୀର୍ଘ ୧୦ ବର୍ଷ ଧରି ବନ୍ଦ ପଡ଼ିବା ପରେ ଏବେ ପୁଣି ଚାଲିବା ଆରମ୍ଭ କରି ଦେଇଛି। ଭୟଙ୍କର ଭୂମିକମ୍ପର ଶିକାର ହୋଇଥିବା ଏହି ଘଣ୍ଟାକୁ ୨୦୨୧ ଫେବୃୟାରୀରେ ଆସିଥିବା ଦ୍ୱିତୀୟ ଭୂମିକମ୍ପ ନୂଆ ଜୀବନ ଦେଇଛି। ୧୦ ବର୍ଷ ପରେ ଘଣ୍ଟାଟି ପୁଣିଥରେ ଚାଲିବାକୁ ଲାଗିଛି। ୨୦୧୧ ମାର୍ଚ୍ଚରେ ଜାପାନର ଉତ୍ତର-ପୂର୍ବ ତଟରେ ଭୟଙ୍କର ଭୂମିକମ୍ପ ଆସିଥିଲା, ଯାହାର ପ୍ରଭାବରେ ସୁନାମୀ ମଧ୍ୟ ଉଠିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା।

ଯେବେ ମଠ ଭିତରେ ପଶିଥିଲା ସୁନାମୀ ପାଣି

ତଟ ନିକଟସ୍ଥ ୟମାମୋଟୋ ଅଞ୍ଚଳରେ ଏକ ବୌଦ୍ଧ ମଠ ରହିଛି। ଏଠାରେ ୧୦୦ ବର୍ଷର ଏହି ପୁରୁଣା ବିଶାଳକାୟ ଘଣ୍ଟା ଲାଗିଥିଲା। ୨୦୧୧ ଭୂମିକମ୍ପ ପରେ ପରେ ଆସିଥିବା ସୁନାମୀ ପାଣି ମଠ ଭିତରେ ପଶିଯାଇଥିଲା। ଏଥିରେ ସବୁକିଛି ଛାରଖାର ହୋଇଯାଇଥିଲା। କେବଳ ମଠର ଖମ୍ବ ଏବଂ ଛାତ ହିଁ ବଞ୍ଚିପାରିଥିଲା। ଜାପାନକୁ ଏହି ବିପର୍ଯ୍ୟୟରୁ ମୁକୁଳିବା ପାଇଁ ଲମ୍ବା ସମୟ ଲାଗିଥିଲା। ସ୍ଥିତି ସୁଧୁରିବା ପରେ ମଠ ପ୍ରମୁଖ ତଥା ଘଣ୍ଟା ମାଲିକ ବଁସୁନ ସକାନୋ(୫୮) ଘଣ୍ଟାକୁ ଖୋଜି ବାହାର କରିଥିଲେ। ସେ ଘଣ୍ଟା ଠିକ୍‌ କରିବାକୁ ଅନେକ ଚେଷ୍ଟା କରିଥିଲେ, ହେଲେ ଅସଫଳ ହୋଇଥିଲେ।

ଘଣ୍ଟା ଦେଲା ଦୃଢ଼ ସଂକଳ୍ପର ମନ୍ତ୍ର

ସକାନୋ ଘଣ୍ଟାକୁ ଠିକ୍‌ କରିବାର ଆଶା ଛାଡ଼ି ଦେଇଥିଲେ ଏବଂ ଏହାକୁ ନ ଫିଙ୍ଗି ସେହି ମଠରେ ହିଁ ରହିବାକୁ ଦେଇଥିଲେ। ୧୩ ଫେବୃୟାରୀ ୨୦୨୧ରେ ଏହି ଅଞ୍ଚଳରେ ପୁଣି ଭୂମିକମ୍ପ ଆସିଥିଲା। ଏହାପରେ ଗୋଟିଏ ଦିନ ସକାନୋ ଘଣ୍ଟାର ଟିକ୍‌ ଟକ୍‌ ଶବ୍ଦ ଶୁଣିବାକୁ ପାଇଥିଲେ। ଘଣ୍ଟା ଠିକ୍‌ ଭାବେ କାମ କରୁଥିଲା। ସକାନୋଙ୍କ କହିବା ହେଲା, ବାସ୍ତବିକ, ଏହି ଘଣ୍ଟା ତାଙ୍କୁ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.