କରୋନାର ଦ୍ୱିତୀୟ ଲହର: ଭାରତର ବିମାନ ସେବା ଉପରେ କଟକଣା ଲଗାଇଲେଣି ବିଶ୍ୱର ଅନେକ ରାଷ୍ଟ୍ର

କେନ୍ୟୁଜ୍(ବ୍ୟୁରୋ):  ବଢୁଛି ସଂକ୍ରମଣ, ବଢୁଛି ପ୍ରତିବନ୍ଧକ । ଦେଶରେ କରୋନା ସଂକ୍ରମଣ ସାଂଘାତିକ ବୃଦ୍ଧି ହେବା ପରେ ଭାରତର ବିମାନ ସେବା ଉପରେ କଟକଣା ଲଗାଇଲେଣି ବିଶ୍ୱର ଅନେକ ରାଷ୍ଟ୍ର । ଗୋଟିଏ ପରେ ଗୋଟିଏ ଦେଶ ଭାରତର ଅନ୍ତର୍ଜାତୀୟ ବିମାନ ସେବାକୁ ନିଜ ଦେଶରେ ଲଗାଇଲେଣି ପ୍ରତିବନ୍ଧକ । ଆମେରିକା, ୟୁକେ, କୁଏତ, ଫ୍ରାନ୍‌ସ, କାନାଡ଼ା ଭଳି ଦେଶ କରୋନାର ଡବଲ ମ୍ୟୁଟାଣ୍ଟ ଭାଇରସ ପାଇଁ ଭାରତୀୟ ଅନ୍ତର୍ଜାତୀୟ ବିମାନସେବାକୁ ପ୍ରତିବନ୍ଧ ଲଗାଇଛନ୍ତି । ଇରାନ, କୁଏତ, ୟୁଏଇ ସେମାନଙ୍କ ଦେଶର ନାଗରିକଙ୍କୁ ଭାରତ ଯାତ୍ରା ପାଇଁ ଅନୁମତି ବନ୍ଦ ରଖିଛନ୍ତି। ଆଗାମୀ ତିନି ସପ୍ତାହ ପାଇଁ ଅଷ୍ଟ୍ରେଲିଆ ମଧ୍ୟ ଭାରତ ଯାତାୟତ ଉପରେ କଟକଣା ଲଗାଇଥିବା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି। ସେପଟେ ଭାରତ ନିଜଆଡୁ ବିଦେଶକୁ ବିମାନ ସେବାକୁ ମେ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।…

ବଢୁଥିବା କରୋନା ସଂକ୍ରମଣ ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଢିଛି। ଅଷ୍ଟ୍ରେଲିଆ ଭାରତର ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇବା ପରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ୧୪ଜଣ କ୍ରିକେଟର ଓ ଷ୍ଟାଫ୍‌ ଭାରତ ଛାଡ଼ିଛନ୍ତି । ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତି ଲାଗୁ ହେବାର ଶେଷ ମୂହୁର୍ତ୍ତରେ ଆଡାମ ଜାମ୍ପା ଓ କାନେ ରିଚାର୍ଡସନ ଆଇପିଏଲରୁ ଓହରି ଯାଇଛନ୍ତି। କରୋନାର ଭୟାବହ ସ୍ଥିତି ପରେ ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମାକ୍ସୱେଲ ମଧ୍ୟ ଭାରତ ଛାଡ଼ିବାକୁ ମନସ୍ଥ କରିଛନ୍ତି। ଆଇପିଏଲ ସମାପ୍ତ ହେବା ପରେ ଅଷ୍ଟ୍ରେଲିୟ କ୍ରିକେଟରଙ୍କୁ ବିସିସିଆଇ ସ୍ପେଶାଲ ଚାର୍ଟର୍ଡ ଫ୍ଲାଇଟରେ ଛାଡ଼ିବାକୁ ମନସ୍ଥ କରିଛି। ତେବେ ଖେଳାଳିମାନେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ସଦସ୍ୟ ଭାବେ ଭାରତ ଆସିନଥିବାରୁ ଏଭଳି ପ୍ରୟାସକୁ ଅନୁମତି ଦିଆଯଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ।

ଅନ୍ତର୍ଜାତୀୟ ବିମାନ ସେବାରେ କଟକଣା ପାଇଁ ଟୋକିଓ ଅଲମ୍ପିକ୍‌ସରେ ଭାରତୀୟ ଖେଳାଳିଙ୍କ ଯୋଗଦାନ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଶେଷ ମୁହୁର୍ତ୍ତରେ ବିମାନ ସେବା ବନ୍ଦ ହେବାରୁ ପୋଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଲିଫାଏର ମ୍ୟାଚରେ ଦୌଡ଼ରାଣୀ ଦୂତି ଚାନ୍ଦ ଓ ହିମା ଦାସ ଭାଗ ନେଇପାରିନାହାନ୍ତି। ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ ଏହାର ଖେଳାଳିଙ୍କୁ ପୋଲାଣ୍ଡରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛି। ସେପଟେ ଅଲମ୍ପିକ ମହାସଂଘ ମଧ୍ୟ ବିନା ଦର୍ଶକରେ ପ୍ରତିଯୋଗିତା ଆୟୋଜନ ପାଇଁ ବିଚାରବିମର୍ଶ ଚଳାଇଛି ।

 

Leave A Reply

Your email address will not be published.