ପ୍ରୋଭିଡେନ୍ସ : ମିତାଲି ରାଜଙ୍କ ଆଉ ଏକ ଅର୍ଦ୍ଧଶତକ । ଏହି ଅର୍ଦ୍ଧଶତକ ବଳରେ ଆଇସିସି ମହିଳା ବିଶ୍ବ ଟି-ଟ୍ବେଣ୍ଟି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ଗତକାଲି ଭାରତ ଆୟର୍ଲାଣ୍ଡକୁ ୫୨ ରନରେ ହରାଇଥିଲା ।
ଗଏନାର ନେସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୪୫ ରନ୍ କରିଥିଲା । ଓପ୍ନର ମିତାଲି ୫୬ ବଲରୁ ୫୧ ରନ୍ ଏବଂ ମାନ୍ଧାନା ୩୩ ରନ୍ କରିଥିଲେ । ପରେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭର ୮ ୱିକେଟ୍ ହରାଇ ୯୩ ରନ୍ କରି ପାରିଥିଲା । ଭାରତ ପକ୍ଷରୁ ରାଧା ଯାଦବ ୩ଟି ଏବଂ ଦୀପ୍ତି ଶର୍ମା ୨ଟି ୱିକେଟ୍ ଦଖଲ କରିଥିଲେ ।
୨୦୧୦ ପରେ ଭାରତ ପ୍ରଥମଥର ସେମିଫାଇନାଲରେ ପହଞ୍ଚିଛି । ମିତାଲିଙ୍କୁ ପ୍ଲେୟାର ଅଫ୍ ମ୍ୟାଚ୍ ପୁରସ୍କାର ମିଳିଛି । ଗ୍ରୁପ୍ ‘ବି’ରେ ଥିବା ଭାରତ ୩ଟି ମ୍ୟାଚ୍ ଖେଳି ୩ଟି ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ମ୍ୟାଚ୍ ଜିତିଥିଲେ ମଧ୍ୟ ରନ୍ ହାରରେ ଅଧିକ ଥିବାରୁ ପ୍ରଥମ ସ୍ଥାନରେ ଅଛି ।