ଅଲିମ୍ପିକ୍ସ ବିଜେତାଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର, ନୀରଜ ଓ ସୁମିତଙ୍କୁ ମିଳିଲା ନୂଆ ଗାଡି
ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲେ ନୀରଜ ଚୋପ୍ରା। ଜାଭେଲିନ ଫାଇନାଲରେ ନୀରଜ ଚୋପ୍ରା ପ୍ରଥମ ରାଉଣ୍ଡରେ ୮୭.୦୩ ଏବଂ ଦ୍ବିତୀୟ ରାଉଣ୍ଡରେ ୮୭.୫୮ ଏବଂ ୩ୟ ରାଉଣ୍ଡରେ ୭୬.୭୯ମିଟର ଜାଭେଲିନ ଥ୍ରୋ କରିଥିଲେ। ଖାସ୍ ଏଥିପାଇଁ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଥିଲା ଭାରତ। ନୀରଜଙ୍କୁ ଏଥିପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।
ଏବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ତରଫରୁ ଖାସ୍ ଉପହାର ଦିଆଯାଇଛି। ଜାଭେଲିନରେ ସ୍ୱର୍ଣ୍ଣ ଜିତିଥିବା ନୀରକଙ୍କୁ ଏକ ଗାଡି ଉପହାର ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା। ନୀରଜ ଏହି ଗାଡି ସହିତ ଫଟୋ ଟ୍ଵିଟ୍ କରି ଆନନ୍ଦ ମହିନ୍ଦ୍ରାଙ୍କୁ କୃତଜ୍ଞତା ଜଣାଇଛନ୍ତି।
Thank you @anandmahindra ji for the new set of wheels with some very special customisation! I’m looking forward to taking the car out for a spin very soon. 🙂 pic.twitter.com/doNwgOPogp
— Neeraj Chopra (@Neeraj_chopra1) October 30, 2021
କେବଳ ନୀରଜ ଚୋପ୍ରା ନୁହନ୍ତି, ବରଂ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ସୁମିତ ଅନ୍ତିଲଙ୍କୁ ମଧ୍ୟ ଆନନ୍ଦ ମହିନ୍ଦ୍ରାଙ୍କ ତରଫରୁ ଗାଡି ଉପହାର ଦିଆଯାଇଛି। ଆନନ୍ଦ ମହିନ୍ଦ୍ରା ସୁମିତଙ୍କୁ ନୂଆ ମହିନ୍ଦ୍ରା ଏସୟୁଭି୭୦୦ ଉପହାର ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସ, ପାରାଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିବା ଖେଳାଳିଙ୍କୁ ନୂଆ ଗାଡି ଦେବାକୁ ଘୋଷଣା କରିଥିଲେ ଆନନ୍ଦ ମହିନ୍ଦ୍ରା।
ସୂଚନାଯୋଗ୍ୟ, ନିକଟରେ ଧ୍ୟାନଚାନ୍ଦ ଖେଳ ରତ୍ନ ଆଓ୍ଵାର୍ଡ ପାଇଁ ନୀରଜ ଚୋପ୍ରା ଏବଂ ସୁମିତ ଅନ୍ତିଲଙ୍କୁ ନୋମିନେଟ୍ କରାଯାଇଛି। ଚଳିତଥର ୧୧ ଜଣ ଖେଳାଳିଙ୍କୁ ଖେଳରତ୍ନ ଆଓ୍ଵାର୍ଡ ପାଇଁ ନୋମିନେଟ୍ କରାଯାଇଛି।