ଭୁବନେଶ୍ୱର(କେନ୍ଯୁଜ୍): ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ। ୭୪ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ଯାଗ କରିଛନ୍ତି । ସୂଚନା ମୁତାବକ, ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଛି ।
ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା କାର୍ତିକ ସ୍ବାଇଁଙ୍କ ୪ ସନ୍ତାନ ମଧ୍ୟରୁ କନିଷ୍ଠ ପୁତ୍ର ହେଉଛନ୍ତି ଉମେଶ । ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ଉମେଶ ଚନ୍ଦ୍ର ସ୍ବାଇଁ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାସୀ। ପ୍ରଥମେ ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ।
ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରାର ଲମ୍ବା ଇତିହାସ। ବିଜୁବାବୁଙ୍କ ଏକାନ୍ତ ଅନୁଗତ ଓ ଆଜ୍ଞାଧୀନ ଭାବେ ସେ ବେଶ ପରିଚିତ ଥିଲେ। ୧୯୭୭ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କୁ ପରାଜୟର ସ୍ୱାଦ ଚଖାଇ ପ୍ରଥମ ଥର ଭାବେ ବିଧାନସଭାକୁ ମନୋନୀତ ହୋଇଥିଲେ। ପରେ ୧୯୮୦ ଓ ୧୯୮୫ ପରାଜିତ ହୋଇ ୧୯୯୦ରେ ତତ୍କାଳୀନ ବିଧାୟକ ଜ୍ୟୋତିଷ ଦାଶଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ।
ଏହାପରେ ୧୯୯୫ ମସିହାରେ ପୂର୍ବତନ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଲଲାଟେନ୍ଦୁ ମହାପାତ୍ର ବାଲିକୁଦା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇଁ ଅନୁକମ୍ପା ଭୋଟରେ ଜନତା ଦଳର ବିଧାୟକ ପ୍ରାର୍ଥୀ ଉମେଶ ସ୍ବାଇଁଙ୍କୁ ପରାଜିତ କରି ପ୍ରଥମ ଥର ବିଧାୟକ ହୋଇଥିଲେ। ଏହାପରେ ବିଜୁବାବୁଙ୍କ ଦେହାନ୍ତ ଉମେଶଙ୍କୁ ଗଭୀର ବ୍ୟଥିତ କରିଥିଲା ।
ଏହାପରେ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଏକ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଗଠନ କଲେ । ପ୍ରାରମ୍ଭରେ ଏଥିରେ ସାମିଲ ହୋଇଥିଲେ ମଧ୍ୟ ପରେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୦୦ ମସିହାରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ପ୍ରଥମ ଥର ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଘୁନନ୍ଦନ ଦାଶଙ୍କୁ ପରାଜିତ କରି ତୃତୀୟ ଥର ବିଧାୟକ ହୋଇଥିଲେ। ଏହାପରେ ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରଘୁନନ୍ଦନଙ୍କୁ ହରାଇ ୪ର୍ଥ ଥର ବିଧାୟକ ହୋଇଥିଲେ ।
ପରେ ୨୦୦୯ ମସିହାରେ ବାଲିକୁଦା ଓ ଏରସମା ବ୍ଲକକୁ ମିଶାଇ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ଭାବେ ପରିବର୍ତ୍ତନ ହୋଇଥିଲା ଏବଂ ଏଥିରେ ବିଜେଡି ପକ୍ଷରୁ ପ୍ରଥମ ଥର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କଠାରୁ ୩୧ହଜାର ୩୮୫ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ପରେ ପୁଣି ୨୦୧୪ ମସିହାରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କର ଘର ବାହୁଡା ହୋଇଥିଲା। ପୁଣି ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ ଉମେଶ । କିନ୍ତୁ ଫରକ ଏତିକି ଥିଲା ଏଥର ନିର୍ବାଚନ ନଲଢ଼ି ସେ ଦଳ ପାଇଁ କେବଳ ପ୍ରଚାର କରିଥିଲେ।