‘ଜୟ ଭୀମ୍’ ଯୋଗୁ ସାଉଥ୍ଷ୍ଟାର ସୂର୍ଯ୍ୟାଙ୍କୁ ଆକ୍ରମଣ ଧମକ, ଘର ଆଗରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଦକ୍ଷିଣ ଭାରତୀୟ ଫିଲ୍ମ ଷ୍ଟାର ସୂର୍ଯ୍ୟା ଏବେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜୟ ଭୀମ୍’ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସୂର୍ଯ୍ୟା ଜଣେ ଓକିଲ ଭାବେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଜାତି ଆଧାରରେ ହେଉଥିବା ଭେଦଭାବ ପ୍ରଦର୍ଶିତ କରାଯାଇଛି। ତେବେ ଏହି ଫିଲ୍ମକୁ ବନ୍ନିୟାର ସମ୍ପ୍ରଦାୟର ଲୋକ ଲଗାତାର ବିରୋଧ କରୁଥିବା ଦେଖାଯାଇଛି। ସେମାନେ ସୂର୍ଯ୍ୟାଙ୍କୁ ଆକ୍ରମଣ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଏହି କାରଣରୁ ତାମିଲନାଡ଼ୁ ସରକାର ଅଭିନେତା ସୂର୍ଯ୍ୟାଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଛନ୍ତି। ଇତି ମଧ୍ୟରେ କୁହାଯାଉଛି ଯେ ସୂର୍ଯ୍ୟାଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ରିପୋର୍ଟ ମୁତାବକ, ସୂର୍ଯ୍ୟାଙ୍କ ଘରେ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସୂଚନାନୁଯାୟୀ, ବନ୍ନିୟାର ପ୍ରଦେଶ ଅଧ୍ୟକ୍ଷଙ୍କ ପକ୍ଷରୁ ଜୟ ଭୀମ୍ର ଲିଡ୍ ଆକ୍ଟର ସୂର୍ଯ୍ୟା, ଅଭିନେତ୍ରୀ ଜ୍ୟୋତିକା, ନିର୍ଦ୍ଦେଶକ ଟିଜେ ଗ୍ରାନେଓ୍ଵଲ ଓ ଆମାଜନ ପ୍ରାଇମ୍ ଭିଡିଓକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ରେ ଫିଲ୍ମର ପୂରା ଟିମ୍ ବନ୍ନିୟାର ସମ୍ପ୍ରଦାୟକୁ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି। ଏହି ନୋଟିସ୍ ପରେ ସୂର୍ଯ୍ୟାଙ୍କ ଘରେ ପୋଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅଭିନେତାଙ୍କ ଘରେ ୫ ସଶସ୍ତ୍ର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି।
Chennai | Police security provided at the residence of actor Suriya in T Nagar, Chennai following the announcement by PMK district Secretary Palanisamy of a reward of Rs 1 lakh to anyone who attacks the #JaiBhim actor
Palanisamy has been booked by Police under various sections. pic.twitter.com/9yXmAEvKX2
— ANI (@ANI) November 18, 2021
ଅନ୍ୟପଟେ ଅଭିନେତା ସୂର୍ଯ୍ୟା ପାର୍ବଥୀୟ ଅମ୍ମଲ (ଯାହା ଜୀବନ ଉପରେ ଏହି ଫିଲ୍ମଟି ଆଧାରିତ)ଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ମଙ୍ଗଳବାର ଦିନ ପାର୍ବଥୀୟ ଅମ୍ମଲ ସୂର୍ଯ୍ୟାଙ୍କୁ ତାଙ୍କ ଘରେ ଭେଟିଥିଲେ। ତାଙ୍କ ସହ ମାର୍କବାଦୀ କମ୍ୟୁନିଟି ପାର୍ଟିର ନେତା ମଧ୍ୟ ଥିଲେ। ଏହି ୧୫ ଲକ୍ଷ ଟଙ୍କା ମଧ୍ୟରୁ ସୂର୍ଯ୍ୟା ୧୦ ଲକ୍ଷ ଦେଇଥିବା ବେଳେ ବାକି ୫ ଲକ୍ଷ ପ୍ରଡକ୍ସନ୍ ଫର୍ମ ୨ଡି ଏଣ୍ଟରଟେନ୍ମେଣ୍ଟ ପକ୍ଷରୁ ଦିଆଯାଇଛି।
ପ୍ରକାଶ ଯେ ‘ଜୟ ଭୀମ୍’ ଫିଲ୍ମରେ ତଳ ଜାତିର ଲୋକଙ୍କୁ କିଭଳି ପୋଲିସ ଓ ଉଚ୍ଚ ଜାତିର ଲୋକେ ନିର୍ଯାତନା ଦେଉଛନ୍ତି ତାହା ବର୍ଣ୍ଣନା କରାଯାଇଛି। ଏକ ମିଛ କେସ୍ରେ ଜଣେ ବ୍ୟକ୍ତିଙ୍କୁ ପୋଲିସ କିଭଳି ଅକଥନୀୟ ଅତ୍ୟାଚାର କରୁଛି ଓ ହାଜତରେ ତାଙ୍କ ମୃତ୍ୟୁ ଘଟିଛି, ତାହା ଦର୍ଶାଯାଇଛି। ଏହି କାହାଣୀ କେରଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି।