ଦୁଃଷ୍କର୍ମ ପରେ ମା’ ହୋଇଥିଲା ୧୫ ବର୍ଷର ଝିଅ, ରାଗରେ ତଣ୍ଟି ଚିପି ମାରିଦେଲା ଛୁଆକୁ; ଏମିତି ପତ୍ତା ଲଗାଇଲା ପୋଲିସ

ନିଜ ଜନ୍ମ କଲା ସନ୍ତାନକୁ ହତ୍ୟା କଲା ନାବାଳିକା ଦୁଷ୍କର୍ମ ପୀଡ଼ିତା। ସାଙ୍ଗ ଦ୍ୱାରା ପାଶବିକ ଅତ୍ୟାଚାରର ଶିକାର ହେବା ପରେ ଗର୍ଭବତୀ ହୋଇଥିଲା ଏହି ଝିଅଟି। କିନ୍ତୁ ବୟସ କମ୍‌ ଥିବାରୁ ଓ ଦୁନିଆକୁ ଭଲ ଭାବେ ଜାଣିନଥିବାରୁ ସେ ସନ୍ତାନ ଚାହୁଁନଥିଲା। ନିଜକୁ ସେ ଅନ୍ୟମାନଙ୍କ ଭଳି ଗଢ଼ି ତୋଳିବାକୁ ଚାହୁଁଥିବା ବେଳେ ତା’ ଜୀବନରେ ଆସିଥିଲା ବିରାଟ ଝଡ଼। ଏଣୁ ଜନ୍ମ ହେବାର ୪୦ ଦିନ ପରେ ହିଁ ସେ ନିଜ ସନ୍ତାନକୁ ମାରିଦେଇଥିଲା। ପ୍ରଥମେ ତ କେହି ଏକଥାକୁ ଜାଣିପାରିନଥିଲେ। କିନ୍ତୁ ମୃତ ନବଜାତକର ଶବ ବ୍ୟବଚ୍ଛେଦ କରିବା ପରେ ସତ ସାମ୍ନାକୁ ଆସିଥିଲା। ଏଭଳି ଛାତି ଥରା ଘଟଣା ଘଟିଛି ମଧ୍ୟ ପ୍ରଦେଶରେ।

ମଧ୍ୟ ପ୍ରଦେଶର ଦମୋହର ତେନ୍ଦୁଖେଡ଼ା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ୧୫ ବର୍ଷର ଝିଅର ଏକ ୧୭ ବର୍ଷର ପୁଅ ସାଙ୍ଗ ଥିଲା। ଝିଅଟି ପୁଅଟିକୁ ସାଙ୍ଗ ଭାବୁଥିବା ବେଳେ ପୁଅଟି କିନ୍ତୁ ସାଙ୍ଗର ଫାଇଦା ଉଠାଇଥିଲା। ଥରେ କେହି ଘରେ ନଥିବା ବେଳେ ସେ ନାବାଳିକା ସାଙ୍ଗ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଫଳରେ ଝିଅଟି ପରେ ଗର୍ଭବତୀ ହୋଇଥିଲା। ଏ ନେଇ ଝିଅର ଘର ଲୋକ ଜାଣିବା ପରେ ଉକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଯୁବକ ଜଣକ ନାବାଳକ ଥିବାରୁ ତାକୁ ସୁଧାର ଗୃହକୁ ପଠାଇ ଦେଇଥିଲା ପୋଲିସ।

କିଛି ଦିନ ତଳେ ପୀଡ଼ିତା ଏକ ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଛୁଆ ଜନ୍ମ ପରଠାରୁ ହିଁ ସେ ଖୁସି ନଥିଲେ। ତେବେ ନିକଟରେ ହଠାତ୍‌ ଛୁଆଟିର ମୃତ୍ୟୁ ହୋଇଥିଲା। ପରିବାର ଲୋକ ପ୍ରଥମେ ତ ଏହାକୁ ଏକ ସାଧାରଣ ମୃତ୍ୟୁ ଭାବିଥିଲେ। କିନ୍ତୁ ଶବ ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ଯେ ଛୁଆଟିର ମୃତ୍ୟୁ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ହୋଇଛି। ସନ୍ଦେହରେ ପୋଲିସ ଏ ନେଇ ଛୁଆର ମା’ ନାବାଳିକା ପୀଡ଼ିତାକୁ ପଚରାଉଚରା କରିଥିଲା। ପ୍ରଥମେ ତ ସେ କିଛି ମାନିନଥିଲା। କିନ୍ତୁ ପରେ ସବୁ ସତ ମାନିଯାଇଥିଲା ଓ କହିଥିଲା ଯେ ସେ ଛୁଆ ଚାହୁଁନଥିଲା। ଏଣୁ ତାକୁ ହତ୍ୟା କରିଛି। ପୀଡ଼ିତାର ବୟାନ ରେକର୍ଡ କରିବା ପରେ ପୋଲିସ ତାକୁ ମଧ୍ୟ ସୁଧାର ଗୃହକୁ ପଠାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.