ଜଣେ ବ୍ୟକ୍ତି ହେଲେ ତାଙ୍କ ଭିତରେ ଭରି ରହିଛି ଭିନ୍ନ ଭିନ୍ନ ପ୍ରତିଭା। ତାଙ୍କ ହାତ ଚାଲିଲେ ମୂର୍ତ୍ତି ସବୁ ନିଅନ୍ତି କେତେ କେତେ ରୂପ। ସେ ଆଧୁନିକ ହେଉ କି ପରମ୍ପରା, କଳାକୃତି ମାଧ୍ୟମରେ ସବୁଥିରେ ସ୍ୱତନ୍ତ୍ର ଛାପ ଛାଡ଼ି ଯାଆନ୍ତି ଏଇ ଶିଳ୍ପୀ । ପୁଣି ନୂଆ ନୂଆ ପ୍ରକାର ଆର୍ଟ ସାଙ୍ଗକୁ ନିଜ ବୁଦ୍ଧିମତ୍ତାରେ ସୃଷ୍ଟି କରିଛନ୍ତି ଅନେକ ନୂଆ ନୂଆ ଜିନିଷ। ନାଁ ତାଙ୍କର ଡ. ଜ୍ଞାନେଶ ରାଜନ ମିଶ୍ର। କଳାକାର ମହଲରେ ସେ ଅତି ଜଣାଶୁଣା ବ୍ୟକ୍ତିତ୍ବ ।
ଯାଜପୁରରେ ଡ. ଜ୍ଞାନେଶ ରାଜନ ମିଶ୍ରଙ୍କ ଜନ୍ମ। ଶିକ୍ଷା ଶେଷ କରିବା ପରେ ସେ ଦେଶ ଭିତରେ ଓ ବାହାରେ ନିଜର କଳାକୃତିର ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ୨୦୧୪ ମସିହାରେ ନିଜର ଶ୍ରେଷ୍ଠ କୃତିତ୍ୱ ‘ବୁଦ୍ଧିଜିମ୍ ଆର୍ଟ ଆଣ୍ଡ କ୍ରାଫ୍ଟ’ ପାଇଁ କଲମ୍ବୋ ୟୁନିଭର୍ସିଟି ତାଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରିଥିଲେ। ପଟ୍ଟଚିତ୍ରରେ ନିଜର ଶିକ୍ଷା ଆରମ୍ଭ କରି ପରବର୍ତ୍ତୀ ସମୟରେ ସେ ଠାଙ୍କା ପେଣ୍ଟିଙ୍ଗ, ଟେଙ୍ଗର ପେଣ୍ଟିଙ୍ଗ, ମଧୁବାଣୀ ପେଣ୍ଟିଙ୍ଗ ଭଳି ଅନେକ କଳାକୃତିକୁ ନିଜର କରି ନେଇଛନ୍ତି । ଏକାଧାରରେ ସେ ଜଣେ କଳାକାର ହେବା ସହ ପ୍ରତ୍ୟେକ କଳାରେ ଗବେଷଣା କରି କିଛି ନୂଆ କରିବାରେ ମଧ୍ୟ ସଫଳ ହୋଇପାରିଛନ୍ତି। ଦୀର୍ଘ ୩୫ ବର୍ଷ ଧରି ଭାରତ ସରକାରଙ୍କର ବସ୍ତ୍ର ମନ୍ତ୍ରାଳୟରେ କାର୍ଯ୍ୟ କରି ନିକଟରେ ଅବସର ଗ୍ରହଣ କରିଛନ୍ତି ଡ. ଜ୍ଞାନେଶ ମିଶ୍ର।
ତାଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଅବିସ୍ମରଣୀୟ କଳାକୃତି କରିଛନ୍ତି। ଫଳରେ ସେ ଦେଶ ବିଦେଶରେ ସମ୍ମାନିତ ହୋଇ ପାରିଛନ୍ତି। ୨୦୧୫ରୁ ଆରମ୍ଭ କରିଥିବା ତାଙ୍କର ପରୀକ୍ଷା ନିରୀକ୍ଷା ବେଶ୍ ସଫଳ ହୋଇଛି। ଟେରାକୋଟା କଳାକୃତିକୁ ସେ ନୂଆ ରୂପ ଦେବା ସହ ଏହା କେମିତି ଦୀର୍ଘସ୍ଥାୟୀ ହୋଇ ପାରିବ ତାର ମଧ୍ୟ ବାଟ ବାହାର କରିଛନ୍ତି । ପୁଣି ସୁନା ଛାଉଣୀ ଦେଇ ଦୁନିଆକୁ ମୂର୍ତ୍ତି ଗଢ଼ିବାର କଳା ମଧ୍ୟ ଜ୍ଞାନେଶ ଶିଖାଇଛନ୍ତି। ତେବେ ସେ ଉଦ୍ଭାବନ କରିଥିବା ଗ୍ରୀନବ୍ରିକ୍ସ ଓକ୍ଲକ ଟାଓ୍ଵାର ସବୁଠୁ ନିଆରା ।
ଏବେ ଅଧିକାଂଶ ନିର୍ମାଣ କାମ ପାଇଁ ମାଟି ତିଆରି ପୋଡ଼ା ଇଟା ଜାଗାରେ ଫ୍ଲାଏଆସ ଇଟା ବ୍ୟବହାର କରାଯାଉଛି। ତେବେ ଜ୍ଞାନେଶ ମାଟି, ଫ୍ଲାଏ ଆସ୍ ଓ ଅନ୍ୟାନ୍ୟ ଜିନିଷକୁ ନେଇ ୪ ପ୍ରକାରର ଇଟା ତିଆରି କରିଛନ୍ତି। ଏହା ବର୍ତ୍ତମାନ ବ୍ୟବହୃତ ହେଉଥିବା ଇଟା ଠାରୁ ବହୁ ଗୁଣରେ ଉନ୍ନତ ବୋଲି ସେ ଦାବି କରନ୍ତି। ଏହା ତାପମାତ୍ରାକୁ ରୋକିବା ସହ ଶୀଘ୍ର ନଷ୍ଟ ହେବ ନାହିଁ।
ପୁଣି ଆଗକାଳରେ ବ୍ୟବହାର ହେଉଥିବା କ୍ଲକ ଟାଓ୍ଵାରରେ ସେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।୪୦-୫୦ ଫୁଟ ଉଚ୍ଚ ଷ୍ଟେନଲେସ ଷ୍ଟିଲରେ ନିର୍ମିତ କ୍ଲକ ଟାଓ୍ଵାରରେ ଆର୍ଟ ସହ ଟେକ୍ନୋଲେଜିର ମିଶ୍ରଣ କରିଛନ୍ତି।
ଓଡ଼ିଶାର ପୁଅ ହୋଇ ଦେଶ ବିଦେଶରେ ବେଶ୍ ନାଁ କରିବା ପରେ ଓଡ଼ିଶା ପାଇଁ କିଛି କରିବାର ଆଶା ରଖିଛନ୍ତି ଜ୍ଞାନେଶ ରାଜନ। ନିଜର କଳାକୃତିରେ ସେ ଏଭଳି କିଛି କରି ଦେଖାଇଛନ୍ତି ଯାହା ଜଣେ ଶିଳ୍ପୀ ବା ଚିତ୍ରକର ଠାରୁ ଆଶା କରାଯାଏ ନାହିଁ। ତେଣୁ ସେ ପାଲଟିଛନ୍ତି ଜଣେ ଉଦାହରଣ ସୃଷ୍ଟିକାରୀ ଶିଳ୍ପୀ । ତାଙ୍କୁ କଳାର ବୈଜ୍ଞାନିକ କହିଲେ ଭୁଲ ହେବ ନାହିଁ ।