କଟକ(କେନ୍ଯୁଜ୍): ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନିର୍ମିତ ଧର୍ମାନୁଷ୍ଠାନ ଉଚ୍ଛେଦ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଭଳି ୯୦ରୁ ଉର୍ଦ୍ଧ୍ଵ ଧର୍ମାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ମୁଖ୍ୟ ଶାସନ ସଚିବ।
ଏହି ପ୍ରସଙ୍ଗରେ ସାନି ସ୍ଥିତି ସଂପର୍କରେ ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ହାଇକୋର୍ଟରେ ଆଗତ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ମାସରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଧର୍ମାନୁଷ୍ଠାନ ଉଚ୍ଛେଦ ସଂପର୍କିତ ‘ୟୁନିୟନ ଅଫ୍ ଇଣ୍ଡିଆ ବନାମ ଷ୍ଟେଟ୍ ଅଫ୍ ଗୁଜରାଟ’ ସହିତ ଅନ୍ୟ ମାମଲାରେ ସୁପ୍ରିମକୋର୍ଟ ୨୦୧୮ ଜାନୁଆରୀ ୩୧ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଅନୁସାରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲେ।