ପରମ୍ପରା ବଞ୍ଚାଇବାକୁ ପ୍ରୟାସ: ଗାଁ ଦିଅଁଙ୍କ ମକର ମିଳନ, ସୃଷ୍ଟି କରିଛି ଭକ୍ତିମୟ ପରିବେଶ

ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି ଦୋଳ। ଘଣ୍ଟଘଣ୍ଟା ଭେରୀ ତୁରୀରେ ଫାଟି ପଡ଼ୁଛି ପୂରା ପରିବେଶ। ସାରା ଗାଁର ଲୋକେ ଏକାଠି ହୋଇଛନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ। କୋଭିଡ୍‌ ନିୟମ ମଧ୍ୟରେ ଭକ୍ତମାନେ ନିଜର ଅତି ପ୍ରିୟ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଆଉ ଏହି ବିପତ୍ତି ସମୟରୁ ମୁକ୍ତି ଦେବାକୁ ପ୍ରାର୍ଥନା କରୁଛନ୍ତି। ଏଭଳି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ମହକୁମାର ହାଟ ବଜାର ମୁଚୁକୁଣ୍ଡ ସୋମନାଥଙ୍କ ମନ୍ଦିର ପ୍ରାଙ୍ଗଣରେ। ମନ୍ଦିର ପରିସରରେ ମକର ମିଳନ, ହରିହର ଓ ଲକ୍ଷ୍ମୀ ନାରାୟଣ ଭେଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମନ୍ଦିରରେ ପାରମ୍ପରିକ ରୀତି ନୀତିରେ ପଞ୍ଚୁଦୋଳ ମେଳଣ ସହ ମକର ମିଳନ ଆୟୋଜିତ ହୋଇଛି। ମିଳନ ପାଇଁ ଏକାଠି ହୋଇଛନ୍ତି ଥାନପତି ମୁଚୁକୁନ୍ଦ ସୋମନାଥ, ଚାଟରାର ରାଧା କୃଷ୍ଣ , ସିପିର ମୁକ୍ତେଶ୍ଵର ମହାଦେବ, ଦେଭୋଗର ଲକ୍ଷ୍ମୀ ନାରାୟଣ ଓ ଚାଟରାର ଦୁର୍ଗା। ଚାରି ଦିଗରୁ ଆସିବା ପରେ ଠାକୁରମାନେ ପ୍ରଥମେ ମନ୍ଦିର ପରିକ୍ରମା କରିଥିଲେ। ତା’ ପରେ ବାଲିରେ ବସି ପ୍ରଥମେ ବାଲି ଭୋଗ ଲାଗି ହୋଇଥିଲା। ତା’ ପରେ ମନ୍ଦିର ସମ୍ମୁଖରେ ସେବାୟତ ମାନେ ଭୋଗ ଲାଗି ଓ ମକର ଚାଉଳ ଭୋଗ କରିଥିଲେ। ମକର ଚାଉଳ ଭୋଗ ସରିବା ପରେ ଠାକୁରମାନେ ଯେ ଯାହା ମନ୍ଦିରକୁ ବିଜେ କରିଥିଲେ।

ତେବେ ପ୍ରତିବର୍ଷ ମକର ମେଳା ଅବସରରେ ଏଠାରେ ବଡ଼ ମେଳାର ଆୟୋଜନ କରାଯାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁ ମେଳା ବନ୍ଦ ରହିଛି। କିନ୍ତୁ ପରମ୍ପରାକୁ ବଜାୟ ରଖି ଠାକୁରମାନେ ଏକାଠି ହୋଇଛନ୍ତି ଆଉ ମକର ଭୋଗ ଖାଇଛନ୍ତି। ପୂରା ସମାଗମରେ ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ସାମାଜିକ ଦୂରତ୍ୱକୁ ବଜାୟ ରଖିଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.