ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ଲୋୟର ପିଏମ୍ଜିରେ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ପୋଲିସ। ଗତକାଲି ସ୍ୱାମୀ, ସ୍ତ୍ରୀ ଓ ଛୋଟପିଲାକୁ ଶୋଇଥିବା ଅବସ୍ଥାରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଘଟଣାସ୍ଥଳରୁ ମାରାଣାସ୍ତ୍ର ଜବତ କରିଥିଲା ପୋଲିସ । ଗୁରୁତର ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଛୋଟ ପିଲାକୁ ଚାଇଲ୍ଡ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇଥିଲା। କିଏ ଓ କାହିଁକି ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ତାହା ଅସ୍ପଷ୍ଟ ରହିଛି। ଆକ୍ରମଣର ଶୀକାର ପରିବାର ପିଏମ୍ଜି ଛକ ଫୁଟ୍ପାଥ୍ରେ ରହୁଥିଲେ ।