ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ଏଜି ପେରାରିଭଲନ୍ଙ୍କୁ ସୁପ୍ରିମ୍ କୋର୍ଟରୁ ଆଶ୍ୱସ୍ତି ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟ ପେରାରିଭଲନ୍ଙ୍କୁ ଜେଲ୍ରୁ ମୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି। ପେରାରିଭଲନ୍ ବିଗତ ୩୧ ବର୍ଷ ଧରି ଜେଲରେ ବନ୍ଦୀ ଅଛନ୍ତି। ସେ ନିଜ ମୁକ୍ତିରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ୨୦୧୮ରେ ତାମିଲନାଡ଼ୁ ସରକାର ତାଙ୍କୁ ଜେଲ୍ରୁ ମୁକ୍ତି କରିବାକୁ ସୁପାରିଶ୍ କରିଥିଲେ। ଏହାପରେ ଏହି ମାମଲା ଆଇନଗତ ବିବାଦରେ ଫସି ଯାଇଥିଲା।
ସୂଚନାଥାଉ କି, ୧୯୯୧ ମେ’ ୧୨ରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ତାମିଲନାଡ଼ୁର ଶ୍ରୀପେରମ୍ବୁଦୂରରେ ଏକ ଜନସଭା ସମୟରେ ହତ୍ୟା କରାଯାଇଥିଲା। ଏହାପରେ ଏହି ଘଟଣାରେ ପେରାରିଭଲନ୍ଙ୍କୁ ସେହିବର୍ଷ ଜୁନ୍ ୧୧ରେ ଗିରଫ କରାଯାଇଥିଲା। କହି ରଖୁଛୁ, ପେରାରିଭଲନ୍ଙ୍କୁ ୧୯୯୮ରେ ଟାଡା କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଇଥିଲେ। ପରେ ଏହି ଦଣ୍ଡକୁ ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା। ୧୯୯୯ରେ ସୁପ୍ରିମ୍ କୋର୍ଟ ଦଣ୍ଡକୁ ବଳବତ୍ତର ରଖିବାକୁ ଆଦେଶ ଦେଇଥିଲେ। ଯଦିଓ ଏହାପରେ ୨୦୧୪ରେ ଏହି ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇ ଦିଆଯାଇଥିଲା।
ସୁପ୍ରିମ୍ କୋର୍ଟ ଚଳିତବର୍ଷ ମାର୍ଚ୍ଚରେ ପେରାରିଭଲନ୍ଙ୍କୁ ଜାମିନ୍ ପ୍ରଦାନ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ତାଙ୍କ ପିଟିସନକୁ ବିରୋଧ କରିଥିଲେ। ଏଥି ସହିତ କହିଥିଲେ ଯେ ତାମିଲନାଡ଼ୁ ରାଜ୍ୟପାଳ ମାମଲାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି, ଯିଏ ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ପେରାରିଭଲନ୍ଙ୍କ ମୁକ୍ତି ପରେ ବାକି ଦୋଷୀ ନଳିନୀ ଶ୍ରୀହରନ, ମରୁଗନ ଏବଂ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ମୁକ୍ତି କରାଯିବାର ଆଶା ମଧ୍ୟ ବଢ଼ି ଯାଇଛି।