କେନ୍ୟୁଜ୍(ବ୍ୟୁରୋ); ସିବିଏସଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶତପ୍ରତିଶତ ସଫଳତା। ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କଟକ ଜିଲ୍ଲାର ସ୍ମାର୍ଟ ଭିଲେଜ କଲରାବାଙ୍କଠାରେ ପ୍ରତିଷ୍ଠିତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଚଳିତବର୍ଷ ସିବିଏସଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ସ୍କୁଲ୍ର ଛାତ୍ରୀ ବାଗ୍ମିତା ଶୁଭଦର୍ଶିନୀ ଦାଶ ୯୬ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି।
ସ୍କୁଲ୍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍ର ଏହି ସଫଳତାରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଏହାର ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁଁ ଦୀର୍ଘ ଦିନ ହେଲା ଏହି ସଫଳତା ସମ୍ଭବ ହୋଇଆସୁଛି। ଏଥିପାଇଁ ସେ ସ୍କୁଲ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଫଳତା ନେଇ ଚେୟାରପର୍ସନ ଡ. ଇତି ସାମନ୍ତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।