ନ୍ୟୁୟର୍କରେ ଅଘଟଣ : ପୁଅ ନହେବାରୁ ପତ୍ନୀଙ୍କୁ ୮ ବର୍ଷ ଧରି ନିର୍ଯାତନା ଦେଉଥିଲେ ପତି-ଶ୍ୱଶୁର, କଷ୍ଟ ସହି ନପାରି ମହିଳା କଲେ ଆତ୍ମହତ୍ୟା
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଜନୋର ବାସିନ୍ଦା ଜଣେ ଶିଖ ମହିଳା ଆମେରିକାରେ ଆତ୍ମହତ୍ୟା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ମୃତ୍ୟୁର କାରଣ ପଛରେ ଘରୋଇ ହିଂସା ବୋଲି କୁହାଯାଉଛି। ଏହି ଭାରତୀୟ ମୂଳ ବାସିନ୍ଦା ନିଜର ସ୍ୱାମୀ ଓ ଶ୍ୱଶୁରଙ୍କ ନିର୍ଯାତନା ସହି ନପାରି ଶେଷରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘରୋଇ ହିଂସା ଅଭିଯୋଗ ଆଣି ମହିଳା ଜଣକ ଆତ୍ମହତ୍ୟା କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ମନଦୀପ କୌର । ସେ ମୃତ୍ୟୁ ପୂର୍ବରୁ ଭିଡିଓ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କ ଉପରେ ଦିଆଯାଇଥିବା ନିର୍ଯାତନାର କାହାଣୀ କହିଛନ୍ତି । ସେ କହିଛନ୍ତି ଯେ, ସେମାନେ ମୋତେ ଆତ୍ମହତ୍ୟା କରିବାକୁ ପରିସ୍ଥିତି ସୃଷ୍ଟି କରିଛନ୍ତି ।
ସୋସିଆଲ୍ ମିଡିଆରେ ମନଦୀପଙ୍କ ଶେଷ ଭିଡିଓ ଭାଇରାଲ ହେବାରେ ଲାଗିଛି । ପଞ୍ଜାବୀ ଭାଷାରେ ସେ କହିଛନ୍ତି, ପୁଅ ଜନ୍ମ ନକରିବାରୁ ସ୍ୱାମୀ ନିର୍ଯାତନା ଦେଉଥିଲେ । ସବୁକିଛି ସହିଯାଉଥିଲେ, ଭାବୁଥିଲେ ଦିନେ ସ୍ୱାମୀ ତାଙ୍କର ଭୁଲ ବୁଝିପାରିବେ । ୮ ବର୍ଷ ଧରି ପ୍ରତିଦିନ ମାଡ଼ ଖାଉଛନ୍ତି, ଆଉ ସହିପାରୁନାହାନ୍ତି, ମୁଁ ବଂଚିବା ପାଇଁ ବହୁତ ଉଦ୍ୟମ କରିଥିଲି । କିନ୍ତୁ ସେମାନଙ୍କର ଦୁର୍ବ୍ୟବହାର ମୋତେ ଜୀବିତ ରହିବାକୁ ଦେଉନାହିଁ । ସେମାନଙ୍କର ନିର୍ଯ୍ୟାତନା ସୀମା ଟପିଛି ।
There are collosal problems in our family & social structure which we conveniently ignore or deny to accept. #DomesticViolence against women is one such serious problem. Suicide by Mandeep Kaur a NRI Punjabi woman is a wake up call to accept the problem and fix it accordingly. pic.twitter.com/F8WpkiLCZY
— Gurshamshir Singh (@gurshamshir) August 5, 2022
ଏହି ଘଟଣାକୁ ନେଇ ନଜିବାବାଦ ଥାନାର ଅଧିକାରୀ କହିଛନ୍ତି ଯେ ମନଦୀପଙ୍କ ବାପାଙ୍କ ଅଭିଯୋଗ କ୍ରମେ ଯୌତୁକ ଆଇନ ଅନୁଯାୟୀ ରଞ୍ଜୋଦ(ମନଦୀପଙ୍କ ସ୍ୱାମୀ)ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିପାଇଁ ନ୍ୟୁୟର୍କରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ବୋଲି ମନଦୀପଙ୍କ ପିତାମାତା କହିଛନ୍ତି। ମନଦୀପ ଆଠ ବର୍ଷ ପୂର୍ବେ ବିଜନୋରର ବାଦିଆ ଗାଁର ରଞ୍ଜୋଦଙ୍କୁ ବିବାହ କରିଥିଲେ। ମହିଳାଙ୍କ ବାପାଙ୍କ କହିବାନୁସାରେ, ରଞ୍ଜୋଦ ନ୍ୟୁୟର୍କରେ ଟ୍ରକ ଡ୍ରାଇଭର ଥିବାବେଳେ ବିବାହ ପରେ ଦୁହେଁ ଦୁଇ ବର୍ଷ ଧରି ଗାଁରେ ରହୁଥିଲେ ଏବଂ ସେଠାରେ ଏକ ଝିଅ ଜନ୍ମ ହୋଇଥିଲା । ଏହାପରେ ପୁଣି ଏକ ଝିଅ ହୋଇଥିଲା। ଆଉ ଏହା ପରେ ମନଦୀପଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇଥିଲା । ତେବେ ପରିବାରର ହସ୍ତକ୍ଷେପ ପରେ ଦୁହେଁ ନ୍ୟୁୟର୍କ ଯାଇଥିଲେ । କିନ୍ତୁ ସେଠାରେ ମଧ୍ୟ ମନଦୀପଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଥିଲା। ଆଉ ଶେଷରେ ସେ ଆତ୍ମହତ୍ୟା କରିଛନ୍ତି।