‘ହର ଘର ତ୍ରିରଙ୍ଗା’ ଅଭିଯାନରେ ୫୦୦ କୋଟି ଟଙ୍କାର ବେପାର, ୧୦ ଲକ୍ଷ ଲୋକଙ୍କୁ ମିଳିଲା ରୋଜଗାର

ସମଗ୍ର ଦେଶ ଆଜି ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୋଇଥିଲେ। ଏଥିପାଇଁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଏହି ଅଭିଯାନରେ ୩୦ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇଥିଲା। ଆଉ ଏଥିରେ ୫୦୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି।

କନଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ଟ୍ରେଡର୍ସର କହିବାନୁଯାୟୀ, ଦେଶଭକ୍ତି ଏବଂ ସ୍ୱରୋଜଗାର ସହିତ ଜଡିତ ଏହି ଅଭିଯାନରେ ସମଗ୍ର ଦେଶର ଲୋକଙ୍କ ମଧ୍ୟ ଏକ ଅଦ୍ଭୁତ ଭାବନା ଏବଂ କୋ ଅପରେଟିଭ ବିଜନେସ ହେବାର ସମ୍ଭାବନା ଦେଖାଦେଇଛି। ତ୍ରିରଙ୍ଗା ପ୍ରତି ଲୋକଙ୍କ ସମର୍ପଣ ଏବଂ ଉତ୍ସାହ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟ ୨୦୨୨ରୁ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ସ୍ୱରାଜ ବର୍ଷ ବୋଲି ଘୋଷଣା କରିବା ପାଇଁ ଅପିଲ୍‌ କରିଛନ୍ତି।

କନଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ଟ୍ରେଡର୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭରତିୟା କହିଛନ୍ତି, ଗତ ୧୫ ଦିନ ମଦ୍ୟରେ ୩ ହଜାରରୁ ଅଧିକ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ଯେଉଁଥିରେ ବହୁତ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ମାତ୍ର ୨୦ ଦିନରେ ରେକର୍ଡ ସଂଖ୍ୟକ ୩୦ କୋଟିରୁ ଅଧିକ ତ୍ରିରଙ୍ଗା ନିର୍ମାଣ କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ଦ୍ୱାରା ଫ୍ଲାଗ୍‌ କୋର୍ଡରେ ପଲିଷ୍ଟର ଏବଂ ମେସିନ ଜରିଆରେ ପତାକା ନିର୍ମାଣ କରିବାକୁ ଅନୁମତି ମିଳିବା ଯୋଗୁଁ ବହୁତ ସହଜରେ ପତାକା ମିଳିବା ସହଜ ହୋଇପାରିଥିଲା। ପୂର୍ବରୁ ତ୍ରିରଙ୍ଗା କେବଳ ଖଦୀ କପଡାରେ ତିଆରି କରିବାକୁ ଅନୁମତି ଥିଲା। ଆଉ ଚଳିତବର୍ଷ ସରକାରଙ୍କ ଏଭଳି ପଦକ୍ଷେପ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଥିଲା। ଲୋକେ ନିଜ ଘରେ ଛୋଟ ଜାଗାରେ ମଧ୍ୟ ତ୍ରିରଙ୍ଗା ତିଆରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.