ହକିର ଯାଦୁଗର ମେଜର ଧ୍ୟାନଚନ୍ଦ, ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ପାଳନ କରାଯାଏ ଜାତୀୟ ଖେଳ ଦିବସ
ପ୍ରତିବର୍ଷ ଦେଶରେ ଅଗଷ୍ଟ ୨୯ ତାରିଖକୁ ରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯାଏ। ଭାରତୀୟ ହକି ଜଗତର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚନ୍ଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତି ବର୍ଷ ଏହାକୁ ପାଳନ କରାଯାଏ। ଆଜିର ଦିନରେ ରାଷ୍ଟ୍ରପତି ନିଜେ କ୍ରୀଡାର ବିଭିନ୍ନ କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଥାନ୍ତି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।
୧୯୦୫, ଅଗଷ୍ଟ ଆଜିର ଦିନ ପ୍ରୟାଗରାଜଠାରେ ସେ ଜନ୍ମଗ୍ରହଣ କରିଥିଲେ । ସମଗ୍ର ବିଶ୍ୱରେ ସେ ହକି ୱିଜାର୍ଡ ବା ହକିର ଯାଦୁଗର ନାମରେ ପରିଚିତ । ସେ ପ୍ରାୟତଃ ରାତି ସମୟରେ ଅଭ୍ୟାସ କରୁଥିବାରୁ ସାଥୀ ଖେଳାଳିମାନେ ନାଁ ରଖିଥିଲେ ଧ୍ୟାନଚାନ୍ଦ। ତାଙ୍କୁ ସମ୍ମାନ ଜଣାଇ ଭାରତରେ ପ୍ରତି ବର୍ଷ ଜାତୀୟ ସ୍ତରରେ “କ୍ରୀଡ଼ା ଦିବସ” ଆୟୋଜିତ ହୋଇଥାଏ । ହକି ସହିତ ଧ୍ୟାନଚାନ୍ଦଙ୍କ ନାଁ ଖୁବ ନିବିଡ ଭାବେ ଜଡିତ । ଲଗାତାର ଭାବେ ୧୯୨୮ ର ଆର୍ମଷ୍ଟ୍ରଦାମ ଅଲମ୍ପିକ, ୧୯୩୨ ମସିହାର ଲସ ଆଞ୍ଜେଲସ ଅଲିମ୍ପିକ୍ସ ଓ ୧୯୩୬ ବର୍ଲିନର ବର୍ଲିନ ଅଲିମ୍ପିକ୍ସରେ ଲଗାତାର ଭାବେ କ୍ରୀଡ଼ାଜଗତର ଏହି କିମ୍ବଦନ୍ତୀ ପୁରୁଷ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ତାଙ୍କ ପିତା ସେନାରେ ଥିବା ବେଳେ ସେ ମଧ୍ୟ ସେନା ପାଇଁ ହକି ଖେଳୁଥିଲେ । ପିତାଙ୍କ ପଦାଙ୍କ ଅନୁଷରଣ କରି ମାତ୍ର ୧୬ ବର୍ଷ ବୟସରେ ଧ୍ୟାନଚାନ୍ଦ ସେନାରେ ଯୋଗ ଦେଇଥିଲେ ।
୧୯୨୬ରୁ ୧୯୪୯ ମଧ୍ୟରେ ବ୍ରିଟିଶ୍ ଇଣ୍ଡିଆ ଓ ସ୍ୱୀଧୀନ ଭାରତର ପ୍ରତିନିଧିତ୍ବ କରି ୧୮୫ ମ୍ୟାଚ୍ରୁ ସେ କରିଥିଲେ ୫୭୦ ଗୋଲ୍ । ୧୯୨୮ରୁ ୧୯୩୬ ମଧ୍ୟରେ ଭାରତ ଲଗାତାର ତିନିଟି ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଧ୍ୟାନଚାନ୍ଦ। ଅବସର ନେବା ପରେ ମଧ୍ୟ ତାଙ୍କ ତେଜସ୍ୱୀ ପ୍ରଭାବ ଭାରତୀୟ ହକି ଉପରେ ରହିଥିଲା। ସେଥିପାଇଁ ୧୯୨୮ରୁ ୧୯୬୪ ମଧ୍ୟରେ ଭାରତ ୮ରୁ ୭ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତି ନେଇଥିଲା। ଭାରତୀୟ ହକିର ସେହି ପ୍ରବାଦ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଆସୁଛି।
ଖାଲି ଜଣେ ଖେଳାଳି ଭାବେ ନୁହେଁ ଜଣେ ଦେଶ ଭକ୍ତ ଭାବରେ ବି ଦେଶ ତାଙ୍କୁ ଚିର କାଳ ପାଇଁ ମନେ ରଖିବ । ତାଙ୍କ ଖେଳ ଶୈଳୀରେ ମୁଗ୍ଧ ହୋଇ ଜର୍ମାନ ଶାସକ ହିଟଲର ତାଙ୍କୁ ଏକ ଭଲ ସୁଯୋଗ ଦେଇଥିଲେ ମଧ୍ୟ ଦେଶ ପାଇଁ ଏହି ସୁଯୋଗକୁ ପାଦରେ ଆଡେଇ ଦେଇଥିଲେ ଭାରତୀୟ କ୍ରୀଡା ଜଗତର ଏହି ଅଦ୍ଵିତୀୟ ତାରକା ।
ପ୍ରତି ବର୍ଷ ରାଷ୍ଟ୍ରପତି ଭବନରେ ଏହି ଦିବସ ପାଳିତ ହୁଏ । ଏ କ୍ଷେତ୍ରରେ ବିଶ୍ୱ ସ୍ତରରେ ଦେଶକୁ ଗୌରବାନ୍ୱିତ କରିଥିବା ବିଜେତାଙ୍କୁ ଏହି ଉପଲକ୍ଷେ ଜାତୀୟ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଏ। ଜାତୀୟ କ୍ରୀଡ଼ା ଦିବସ ଅଧୀନରେ କ୍ରୀଡ଼ାବିତ୍ ଓ ପୂର୍ବତନ କ୍ରୀଡ଼ାବିତଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ସମ୍ମାନ ଆଦିରେ ସମ୍ମାନିତ କରାଯାଏ । ଏଥିସହ ‘ଧ୍ୟାନଚନ୍ଦ’ ସମ୍ମାନ ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଏ।