କେଡ଼େ ନିଷ୍ଠୁର! ବୁଲା କୁକୁରଙ୍କ ପ୍ରାଇଭେଟ୍ ପାର୍ଟରେ ପେଟ୍ରୋଲ ଢାଳି ମଜା ନେଉଥିଲେ ୨ ଯୁବକ; ମାମଲା ରୁଜୁ କଲା ପୋଲିସ
ମଧ୍ୟ ପ୍ରଦେଶର ଇନ୍ଦୋରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି, ଏଠାରେ କିଛି ବୁଲା କୁକୁରଙ୍କ ପ୍ରାଇଭେଟ୍ ପାର୍ଟରେ ପେଟ୍ରୋଲ ଢାଳି ୨ ଜଣ ଯୁବକ ଏହାର ମଜା ନେଉଥିଲେ। ଏ ନେଇ ଅଭିଯୋଗ ପରେ ଏବେ ଘଟଣାରେ ସମ୍ପୃକ୍ତ ଯୁବକଦ୍ୱୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏ ନେଇ ପୋଲିସ ସୂଚନା ଦେଇ କହିଛି କି, ସହରର ଜାଓ୍ଵରା କମ୍ପାଉଣ୍ଡସ୍ଥିତ ଏକ ଡାୟରୀ ଫାର୍ମର ୨ କର୍ମଚାରୀ ଏଭଳି କାଣ୍ଡ ଭିଆଉଥିଲେ। ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କର୍ମଚାରୀଦ୍ୱୟ ରାସ୍ତାରେ ବୁଲୁଥିବା କୁକୁରମାନଙ୍କ ପ୍ରାଇଭେଟ୍ ପାର୍ଟରେ ସିରିଞ୍ଜ୍ ଦ୍ୱାରା ପେଟ୍ରୋଲ ଢାଳୁଥିଲେ। ସେମାନେ ଦୀର୍ଘ ସମୟ ଧରି ଏପରି କରି କୁକୁରମାନଙ୍କୁ କଷ୍ଟ ଦେଉଥିଲେ।
ପୋଲିସ ଅଧିକାରୀମାନେ କହିଛନ୍ତି, ଏହି ଯୁବକମାନଙ୍କର ଏଭଳି ନିଷ୍ଠୁର କାର୍ଯ୍ୟରେ ନିରୀହ ପଶୁମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଖବର ପାଇ ‘ପିପୁଲ୍ ଫର୍ ଆନିମଲ୍ସ’ର ଇନ୍ଦୋର ଶାଖା ଅଧ୍ୟକ୍ଷ ପ୍ରିୟାଂଶୁ ଜୈନ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ସେ ପଶୁ କ୍ରୁରତା ନିବାରଣ ଅଧିନିୟମ ଅନୁସାରେ ପ୍ରାଥମିକ ଏତଲା ଦାୟର କରିଥିଲେ।
ପ୍ରିୟାଂଶୁ ଜୈନ କହିଛନ୍ତି, ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ହେଲା କି, ପ୍ରାଇଭେଟ୍ ପାର୍ଟରେ ପେଟ୍ରୋଲ ଢାଳିବା କାରଣରୁ କୁକୁରମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ଯାହାକୁ ଦେଖି ଅଭିଯୁକ୍ତମାନେ ବେଶ୍ ଖୁସି ହେଉଥିଲେ। ସେ ନିଜର ମନୋରଞ୍ଜନ ପାଇଁ ନିରୀହ ପଶୁଙ୍କୁ ଶାରୀରିକ କଷ୍ଟ ଦେଉଥିଲେ। ସୂଚନାଥାଉ କି, ଯେଉଁ ଡାୟରୀ ଫାର୍ମର କର୍ମଚାରୀମାନେ ବେସାହାରା କୁକୁରମାନଙ୍କ ସହିତ ଏଭଳି କ୍ରୁରତା ଆଚରଣ କରୁଥିଲେ, ଉକ୍ତ ଫାର୍ମ ସହରର ବିଜେପି ମୁଖ୍ୟାଳୟ ନିକଟରେ ରହିଛି। ତେବେ ପୋଲିସ ଅଧିକାରୀଙ୍କ ମୁତାବକ, ଅଭିଯୁକ୍ତମାନଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇ ନାହିଁ।