ଭାବପ୍ରବଣରୁ ଆରମ୍ଭ, ଭାବବିହ୍ଵଳରେ ଶେଷ: ପଦ୍ମପୁରରେ ବର୍ଷାଙ୍କ ଉପରେ ହେଲା ଭୋଟ ବର୍ଷା

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ବାସୀ ଦେଖିଲେ ନୂଆ ନିର୍ବାଚନ ପ୍ରଚାର । ଭାବପ୍ରବଣରୁ ଆରମ୍ଭ, ଭାବବିହ୍ଵଳରେ ଶେଷ । ପଦ୍ମପୁରରେ ବର୍ଷାଙ୍କ ଉପରେ ଭୋଟ ବର୍ଷା । ଗଣତି ଆରମ୍ଭରୁ ହିଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ଭାରି ପଡ଼ିଥିଲେ ବର୍ଷା ସିଂ ବରିହା । ବିଜେପିର ସବୁ ନକରାତ୍ମକ ପ୍ରଚାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର । ପ୍ରସଙ୍ଗ ଭିତ୍ତିକ ନିର୍ବାଚନକୁ ସମର୍ଥନ କରିଛନ୍ତି ପଦ୍ମପୁରବାସୀ । ପ୍ରଥମରୁ ଭୋଟରଙ୍କୁ ଆବେଗପୂର୍ଣ୍ଣ ନିବେଦନ କରିଥିଲେ । ଅଞ୍ଚଳର ବିକାଶ ପାଇଁ ମାଟି ଝିଅକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଭୋଟରଙ୍କୁ ଭେଟିବା ବେଳେ ଭାବପ୍ରବଣ ହୋଇପଡ଼ୁଥିଲେ ।

ବାପାଙ୍କୁ ମନେ ପକାଇ ପ୍ରଚାର ବେଳେ କାନ୍ଦି ପକାଉଥିଲେ ବର୍ଷା ସିଂ ବରିହା । ମହିଳାମାନେ ପାଛୋଟି ନେଉଥିବାବେଳେ ଭାବବିହ୍ଵଳ ପରିବେଶ ସୃଷ୍ଟି ହେଉଥିଲା । ଜୀବନ ଥିବା ଯାଏ ପଦ୍ମପୁରର ସେବା କରିବେ ବୋଲି କହିଥିଲେ ବର୍ଷା । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି ବୋଲି ଭୋଟରଙ୍କୁ କହିଥିଲେ । ବର୍ଷା କହିଥିଲେ, ତାଙ୍କ ରକ୍ତ ପଦ୍ମପୁର ମାଟିର । ସେ ଏଠାରେ ପଢ଼ିଛନ୍ତି, ବଢ଼ିଛନ୍ତି । ପଦ୍ମପୁରର ବିକାଶ ଧାରାକୁ ଆଗେଇ ନେବେ ବୋଲି କହିଥିଲେ । ବିଭିନ୍ନ ମଞ୍ଚରେ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଥିଲେ ବର୍ଷା । ବର୍ଷାଙ୍କ ବିଜୟ ପରେ ବାପାଙ୍କ ସମାଧି ସ୍ଥଳରେ ପହଞ୍ଚି ଆଶୀର୍ବାଦ ନେଇଥିଲେ ।

 ବିଜେପି ତାଙ୍କ ବ୍ୟକ୍ତିଗତ ସ୍ତରକୁ ଯାଇ ପ୍ରଚାର କରିଥିଲା । ଯାହାକୁ ନେଇ ପଦ୍ମପୁରରୁ ଭୁବନେଶ୍ୱର ଯାଏ ଝଡ଼ ଦେଖିବାକୁ ମିଳିଥିଲା । ବରିହା ପରିବାରର ନୁହନ୍ତି ବର୍ଷା । ସେ କେଉଁଠି ରହିବେ । ବର୍ଷାଙ୍କୁ ବ୍ୟକ୍ତିଗତ ହମଲା କରିଥିଲେ । ବାହା ହୋଇଥିବାରୁ ସେ ଆଉ ବରିହା ପରିବାରର ନୁହନ୍ତି । ପ୍ରଚାର ଲଢ଼େଇରେ ପ୍ରସଙ୍ଗକୁ ଛାଡ଼ି ବିଜେପିର ବରିଷ୍ଠ ନେତା ଏମିତି କଥା କହି ବର୍ଷାଙ୍କୁ ବ୍ୟକ୍ତିଗତ ସ୍ତରରେ ହମଲା କରିଥିଲେ । ପ୍ରତି କଥାରେ ଆକ୍ଷେପ ପରେ ଆକ୍ଷେପ । ସାଂସଦ ଜୁଏଲ ଓରାମ, ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର ଏଭଳି ଆକ୍ଷେପ କରିଥିଲେ । ଏମିତିକି ମହିଳାଙ୍କୁ ବିଜେପି ଅସମ୍ମାନ କରୁଥିବା ଅଭିଯୋଗ ହୋଇଥିଲା । ଯାହାର କଡ଼ା ଜବାବ ଦେଇଛନ୍ତି ପଦ୍ମପୁରବାସୀ ।

 ଏପଟେ ଫଳାଫଳ ଆସିବା ପରେ ଶ୍ୱଶୁର ରମାରଞ୍ଜନ ବଳିଆରସିଂଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ବୋହୂର ବିଜୟ ମୋ ପାଇଁ ଗର୍ବ ବୋଲି କହିଛନ୍ତି । ଯେଉଁଭଳି ପ୍ରଚାର କରାଯାଇଥିଲା, ଗାଁଲୋକଙ୍କୁ ଖୁବ ବାଧିଥିଲା । ବୋହୂ ପ୍ରତି ଆକ୍ଷେପ ଠିକ ନଥିଲା ବୋଲି ସେ କହିଛନ୍ତି ।  ବର୍ଷାଙ୍କ ପ୍ରତି ବିଜେପିର ଗେମ୍‌ ପ୍ଲାନ୍‌ କାମ କରିନଥିଲା । ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ ବିଜେପି ପାଇଁ ବୁମେରାଂ ହେଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.