ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇଥିବା ଯୋଗିନ୍ଦର ଶର୍ମା ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର; ବିସିସିଆଇକୁ ଚିଠି ଲେଖି ସନ୍ନ୍ୟାସ ଘୋଷଣା
ଟିମ୍ ଇଣ୍ଡିଆର ପରବର୍ତ୍ତୀ ମିଶନ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍। ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ର ଫ୍ୟାନ୍ମାନଙ୍କୁ ବଡ଼ ଝଟ୍କା ଲାଗିଛି। ଟିମ୍ ଇଣ୍ଡିଆର ଜଣେ ଖେଳାଳି ଅଚାନକ୍ ସନ୍ନ୍ୟାସ ଘୋଷଣା କରିଛନ୍ତି। ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ୍ ୨୦୦୭ ଫାଇନାଲର ହିରୋ ରହିଥିବା ଯୋଗିନ୍ଦର ଶର୍ମା କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷ ବୟସରେ ଯୋଗିନ୍ଦର ଅବସର ନେଇଛନ୍ତି।
ଯୋଗିନ୍ଦର ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ଶୁକ୍ରବାର ଟ୍ଵିଟରରେ ଏକ ଚିଠି ସେୟାର କରିଛନ୍ତି। ସେ ନିଜ ସନ୍ନ୍ୟାସ ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହଙ୍କୁ ଚିଠି ପଠାଇଛନ୍ତି ଏବଂ ଅବସର ଘୋଷଣା କରିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ସେ ବିସିସିଆଇ, ହରିୟାଣା କ୍ରିକେଟ୍ ଆସୋସିଏସନ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ହରିୟାଣା ସରକାରଙ୍କୁ ଧନ୍ୟବାଦ ଜଣାଉଛନ୍ତି।
View this post on Instagram
ହରିୟାଣାର ରୋହତକର ନିବାସୀ ଯୋଗିନ୍ଦର ଶର୍ମା ଭାରତ ପାଇଁ ୪ଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଖାସ୍ କଥା ହେଉଛି, ସେ ନିଜ କ୍ୟାରିୟରର ସମସ୍ତ ଟି-୨୦ ମ୍ୟାଚ୍ କେବଳ ବିଶ୍ୱକପ୍ରେ ହିଁ ଖେଳିଛନ୍ତି ଏବଂ ଇତିହାସ ରଚିଛନ୍ତି। ଭାରତ ପାଇଁ ଦିନିକିଆରେ ଯୋଗିନ୍ଦର ୨୦୦୪ରେ ଡେବ୍ୟୁ କରିଥିଲେ ଏବଂ ୨୦୦୭ରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଯୋଗିନ୍ଦର ଶର୍ମା ଏବେ ହରିୟାଣା ପୋଲିସରେ ଡିଏସ୍ପି ପଦରେ କାର୍ଯ୍ୟରତ ଅଛନ୍ତି। ଏପରି କି, ସେ ଗତ କିଛି ଦିନ ଧରି ହରିୟାଣା ପାଇଁ ରଣଜୀ ଟ୍ରଫି ମ୍ୟାଚ୍ ମଧ୍ୟ ଖେଳୁଥିଲେ।