ଶୌଚ ହେବାକୁ ଯାଇ ଦନ୍ତା ଆକ୍ରମଣରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଢେଙ୍କାନାଳରେ ଶୌଚ ହେବାକୁ ଯାଇ ଦନ୍ତା ଆକ୍ରମଣରେ ଜଣେ ମୃତ। କ୍ଷତିପୂରଣ ଦାବିରେ ଗ୍ରାମବାସୀ ମୁଖ୍ୟ ରାସ୍ତାରେ ଟାୟାର ଜାଳି କଲେ ରାସ୍ତା ଅବରୋଧ ।

ଢେଙ୍କାନାଳ (କେନ୍ୟୁଜ): ଦଳି ଦେଲା ଦନ୍ତା ହାତୀ । ଶୌଚ ହେବାକୁ ଯାଇ ଦନ୍ତା ଆକ୍ରମଣରେ ଜଣେ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗୁହାଳଡିହ ଗ୍ରାମର ଘଟଣା । ମୃତକ ହେଲେ ୫୫ ବର୍ଷୀୟ ଜୟାନନ୍ଦ ସୁତାର । ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଗାଁରେ ଉତ୍ତେଜନା ଲାଗି ରହିଛି ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଭାପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସଦର ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥିସହ ମୃତଦେହ ସତ୍କାର ଲାଗି ୧୦ ହଜାର ନଗଦ ରାଶି ଏବଂ ଜଙ୍ଗଲ ବିଭାଗ ନିୟମ ମୁତାବକ ୪ ଲକ୍ଷ ଟଙ୍କା କ୍ଷତିପୂରଣର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଢେଙ୍କାନାଳରେ ହାତୀ ଉପଦ୍ରବ ଥମୁନାହିଁ । ବନବିଭାଗ ହାତୀ ଉପଦ୍ରବ ରୋକିବାରେ ବିଫଳ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.