ତୁନିଶା ଶର୍ମା ମାମଲା: ଶିଜାନ ଖାନଙ୍କୁ ମିଳିଲା ଜାମିନ୍‌; ଜେଲ୍‌ରେ ଥିଲେ ୬୯ ଦିନ

ତୁନିଶା ଶର୍ମା ମାମଲାରେ ଜେଲରେ ଥିବା ଅଭିନେତା ଶିଜାନ ଖାନଙ୍କୁ ଜାମିନ୍‌ ମିଳିଛି। ଶିଜାନଙ୍କୁ କୋର୍ଟ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ୍‌ରେ ଜାମିନ ପ୍ରଦାନ କରିଛନ୍ତି।

ଟିଭିର ଦିବଂଗତ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମାମଲାରେ ଜେଲରେ ଥିବା ତାଙ୍କ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ ଜାମିନ୍‌ ମିଳିଛି। ଜେଲରେ ୬୯ ଦିନ ରହିବା ପରେ ଶିଜାନ ଜାମିନ୍‌ରେ ମୁକୁଳିଛନ୍ତି। ଶିଜାନ ଖାନଙ୍କୁ ଭସାଇ କୋର୍ଟ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ୍‌ରେ ଜାମିନ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ତାଙ୍କୁ ନିଜ ପାସପୋର୍ଟ ଦାଖଲ କରିବାକୁ କୁହାଯାଇଛି।

‘ଅଲି ବାବା: ଦାସ୍ତାନ-ଏ-କାବୁଲ’ର ଫେମ୍‌ ତୁନିଶା ଶର୍ମା ୨୦୨୨ ଡିସେମ୍ବର ୨୪ରେ ଶୋ’ର ସେଟରେ ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କ ପୂର୍ବତନ ପ୍ରେମିକ ତଥା ଶୋ’ର ଅଭିନେତା ଶିଜାନ ଖାନଙ୍କୁ ଗିରଫ କରାଯାଇଥିଲା। ତୁନିଶାଙ୍କ ମା’ ଶିଜାନଙ୍କ ଉପରେ ତାଙ୍କ ଝିଅକୁ ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ଅଭିଯୋଗ ଆଣିଥିଲେ।

ସେପଟେ ଭାଇକୁ ଜାମିନ ମିଳିବା ପରେ ଶିଜାନଙ୍କ ଭଉଣୀ ଫଲକ ନାଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ‘ଅଲହମଦୁଲିଲ୍ଲାହ’ ବୋଲି ଲେଖିଛନ୍ତି। କହି ରଖୁଛୁ, ଫଲକଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତୁନିଶାଙ୍କ ସହିତ ତାଙ୍କର ଅନେକ ଫଟୋ ରହିଛି।

ତୁନିଶା ଡିସେମ୍ବର ୨୪ ଅପରାହ୍ନ ପ୍ରାୟ ୩ଟା ୩୦ରେ ଅଲି ବାବା ଶୋ’ର ମେକ୍‌ ଅପ୍‌ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପରେ ଶିଜାନ ଏବଂ ଟିମ୍‌ର ଦୁଇ ଜଣ ଲୋକ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ, ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଏହି ମାମଲାରେ ପୋଲିସ ଶିଜାନ ଖାନଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.