କୁଚିଣ୍ଡାରେ ଡବଲ ମର୍ଡର, ଭାଇବୋହୂ ସହ ପୁତୁରାର ଜୀବନ ନେଲା ଦେଢ଼ଶୁର
କୁଚିଣ୍ଡାରେ ଡବଲ ମର୍ଡର । ଭାଇବୋହୂ ଓ ଦେଢ ବର୍ଷର ପୁତୁରାର ଜୀବନ ନେଲା ଦେଢ଼ଶୁର । ପ୍ରାଥମିକ ସୂଚନା ଅନୁଯାୟୀ ପାରିବାରିକ କଳହରୁ ହୋଇଛି ହତ୍ୟାକାଣ୍ଡ।
କୁଚିଣ୍ଡା (କେନ୍ୟୁଜ): କୁଚିଣ୍ଡାରେ ଡବଲ ମର୍ଡର । ଭାଇବୋହୂ ଓ ଦେଢ ବର୍ଷର ପୁତୁରାକୁ ବୀଭତ୍ସ ହତ୍ୟା । ମାଆ ଓ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦେଢଶୂର । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗରପୋଷ ଅନ୍ତର୍ଗତ ଦଳକିବାହାଲରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ଜଣେ ୱାର୍ଡସଭ୍ୟଙ୍କ ପତ୍ନୀ ପୂର୍ଣ୍ଣିମା ପିଙ୍ଗ୍ ଓ ପୁଅ ୟେଂଶୁ ପିଙ୍ଗ୍ । ଅଭିଯୁକ୍ତ ଲୋଚନ ପିଙ୍ଗକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ
ପ୍ରାଥମିକ ସୂଚନା ଅନୁଯାୟୀ ପାରିବାରିକ କଳହରୁ ହୋଇଛି ହତ୍ୟାକାଣ୍ଡ। ଗତକାଲି ରାତିରେ ପୂର୍ଣ୍ଣିମା ଓ ତାଙ୍କର ଦେଢ଼ବର୍ଷର ପୁଅ ୟେଂଶୁ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପରେ ପୂର୍ଣ୍ଣିମାଙ୍କ ପାଖରେ ଶୋଇଥିବା ଛୋଟ ପୁଅ ୟେଂଶୁ କାନ୍ଦିବାରୁ ତାଙ୍କୁ ମଧ୍ୟ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଲୋଚନ । ହତ୍ୟାକାଣ୍ଡ ସଂପର୍କରେ ଗ୍ରାମବାସୀ ମାନେ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଅଭିଯୁକ୍ତ ଲୋଚନକୁ ଅଟକ ରଖିବା ସହ ଗୋଡ଼ପୋଷ ଫାଣ୍ଡି ଅଧିକାରୀ ଓ କୁଚିଣ୍ଡା ଏସଡ଼ିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।